ମସ୍କୋ: ଇସଲାମିକ ଷ୍ଟେଟର ମୁଖ୍ୟ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ-ବାଗଦାଦି ଆମେରିକା ସେନାର ଏକ ଅପରେସନରେ ନିହତ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ଆଇଏସଆଇଏସ ମାଷ୍ଟରମାଇଣ୍ଡ ବାଗଦାଦିର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛି ଋଷ।
ଋଷର ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ, ଏହା ପୂର୍ବରୁ 2014 ମସିହାରେ ଓ ପରବର୍ତ୍ତୀ ସମୟରେ ବହୁତ ଥର ବାଗଦାଦିର ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି। ତେଣୁ ଆମେରିକା ସେନା ପାଖରେ ଏପରି କିଛି ବିଶ୍ବାସଯୋଗ୍ୟ ପ୍ରମାଣ ନାହିଁ ଯେଉଁଥିରେ ବାଗଦାଦିର ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ମିଳିବ ।
ଏପଟେ ବାଗଦାଦି ମୃତ୍ୟୁକୁ ନେଇ ପାକିସ୍ତାନ ବି ବିଶ୍ବାସ କରୁନି। ପାକିସ୍ତାନୀ ସେନା ମୁଖ୍ୟ ରେହମାନ ମଲ୍ଲିକ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ଅନୁସାରେ ଏବେ ସୁଦ୍ଧା ଆଇଏସଆଇଏସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି। ଯଦି ବାଗଦାଦି ପ୍ରାଣ ହରାଇଛି, ଏହା ଖୁସିର ବିଷୟ। ବର୍ତ୍ତମାନ ସିରିଆରେ ଅନେକ ସମସ୍ୟା ଲାଗି ରହିଛି। ଦେଖାଯାଉ ଏହି ଘଟଣା କେତେ ସତ୍ୟତା ରଖୁଛି।
ସେହିପରି ତୁର୍କ ରାଷ୍ଟ୍ରପତି ଟ୍ବିଟ କରି ବାଗଦାଦିର ମୃତ୍ୟୁକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି କି ଏହା ଆତଙ୍କବାଦ ଦମନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ। ରବିବାର ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଗଦାଦିର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ସେ କହିଛନ୍ତି, ସିରିୟାର ଇଦଲିବରେ ଆମେରିକା ସେନା ଚଳାଇଥିବା ମିଳିତ ଅପରେସନରେ ବାଗଦାଦି ନିହତ ହୋଇଛି ।