ମସ୍କୋ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକର ସମାଲୋଚନାକୁ ଖାତିର ନକରି ଋଷ ବିକଶିତ କରିଥିବା ନିଜର କୋରୋନା ଟିକା ‘ସ୍ପୁଟନିକ-ଭି’ ର ଉତ୍ପାଦନ ଆରମ୍ଭ କରିଛି । ଏନେଇ ଶନିବାର ଋଷର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଗମଲେୟା ନଶନାଲ ରିସର୍ଚ ସେଣ୍ଟର ଦ୍ବାରା ବିକଶିତ ଏହି କୋଭିଡ-19 ଟିକାର ଉତ୍ପାଦନ ଆରମ୍ଭ ହୋଇଛି । ଆସନ୍ତା 12 ମାସ ମଧ୍ୟରେ 50 କୋଟି ଡୋଜ୍ କୋରୋନା ଟିକା ଉତ୍ପାଦନ କରିବାରେ ସକ୍ଷମ ବୋଲି ଋଷର ଅଧିକାରୀମାନେ କହିଛନ୍ତି ।
ଋଷର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଟିକା ସମସ୍ତ ଆବଶ୍ୟକୀୟ ମାନଦଣ୍ଡ ପୁରଣ କରିଛି ଏବଂ କୋରୋନା ପ୍ରତିରୋଧକ ଶକ୍ତି ବିକାଶରେ ସଫଳ ହୋଇଛି । ଏହି ଟିକା ଦୁଇଥର ପ୍ରୟୋଗ କରାଯିବ । ଏହାପରେ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଏହା କୋରୋନା ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି ଆଶା ରଖାଯାଇଛି । ଏହି ଟିକାକୁ 76 ଜଣଙ୍କ ଉପରେ ପୃଥକ ଭାବରେ ପରୀକ୍ଷଣ କରାଯାଇଛି । ଏହି ଟିକା ଉତ୍ପାଦନ ଖୁବ ଶୀଘ୍ର ବିଦେଶରେ ମଧ୍ୟ ଆରମ୍ଭ ହେବ । ୟୁଏଇ, ସାଉଦି ଆରବ ଏବଂ ଫିଲିପାଇନ୍ସରେ ଏହାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ବୋଲି ଋଷର ଅଧିକାରୀମାନେ କହିଛନ୍ତି ।
ଅନ୍ୟପକ୍ଷରେ, ଋଷର ଟିକା କେତେ ପ୍ରଭାବଶାଳୀ ଏବଂ ନିରାପଦ ତାର ଅନୁସନ୍ଧାନ କରାଯାଇନଥିବା ବ୍ରିଟିଶର ଏକ ଖବର କାଗଜ ପ୍ରକାଶ କରିଛି । କେବଳ ଏତିକି ନୁହେଁ, ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ବୋଲି ଖବରକାଗଜରେ ପ୍ରକାଶ ପାଇଛି ।
ଖବରକାଗଜର ରିପୋର୍ଟ ଅନୁଯାୟୀ, କେବଳ 38 ସ୍ବେଚ୍ଛାସେବୀଙ୍କୁ ଏହି ଟିକା ଦିଆଯାଇଛି । ଟିକା ଦେବା ପରେ ଖବରକାଗଜ ଦ୍ବାରା 144 ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ଦାବି କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ପରୀକ୍ଷଣର 42 ତମ ଦିନ ପର୍ଯ୍ୟନ୍ତ, 31 ସ୍ବେଚ୍ଛାସେବୀଙ୍କ ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ସେପଟେ ଋଷ ଏହି ଟିକାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି । ଏପରିକି ପ୍ରାୟ 20 ଟି ଦେଶରୁ ଏହି ଟିକା ପାଇଁ ଅର୍ଡର ମିଳିଥିବା ଋଷ ପକ୍ଷରୁ କୁହାଯାଇଛି ।
ବିଶ୍ବର ଅନେକ ଦେଶ ଋଷର ଟିକା ଉପରେ ସନ୍ଦେହ କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଋଷର ଏହି ଟିକା ବିଷୟରେ ଅନେକ ତଥ୍ୟ ମାଗିଛି । ସୂଚନାଯୋଗ୍ୟ ଯେ, କୋରୋନା ମହାମାରୀ ପାଇଁ ସମଗ୍ର ବିଶ୍ବ ଟିକା ଅପେକ୍ଷାରେ ଥିବାବେଳେ ଋଷ ପ୍ରଥମ ରାଷ୍ଟ୍ରଭାବେ କୋଭିଡ୍ ଟିକାର ବ୍ୟବହାରିକ ପଞ୍ଜୀକରଣଅ ଆରମ୍ଭ କରିଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏନେଇ ଘୋଷଣା କରିଥିଲେ। କୋରୋନା ମହାମାରୀ ପାଇଁ ଋଷ ଆରମ୍ଭ କରିଥିବା ଏହି ଟିକାକୁ ନେଇ ବିଶ୍ବବ୍ୟାପୀ ବିଶେଷଜ୍ଞମାନଙ୍କ ସନ୍ଦେହ ବଢ଼ିଛି। ମାତ୍ର ୨ ମାସରୁ କମ୍ ସମୟ ମଧ୍ୟରେ ଟିକାର ମାନବୀୟ ପରୀକ୍ଷଣ ପରେ ଏହି ଟିକାର ବ୍ୟବହାରିକ ପଞ୍ଜୀକରଣ କରାଯାଇଛି। ତେଣୁ ଏହାକୁ ନେଇ ବିଶେଷଜ୍ଞ ମାନଙ୍କ ସନ୍ଦେହ ବଢ଼ିଛି।