କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ଆରଏସଏସ କର୍ମୀଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ହତ୍ୟା କରାଯିବା ଘଟଣାରେ ରାଜ୍ୟରେ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟପାଳ ଏବଂ ବିଜେପି । ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ମୃତକ ଶିକ୍ଷକ ରାଷ୍ଟ୍ରିୟ ସ୍ବୟଂସେବକ ସଙ୍ଘ(ଆରଏସଏସ) ସହ ଜଡିତ ଥିବାରୁ ତାଙ୍କୁ ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ପକ୍ଷରୁ ହତ୍ୟା କରାଯାଇଛି । ସେପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏ ମାମଲାରେ ରାଜ୍ୟରେ କ୍ଷମତାସୀନ ମମତା ବାନାର୍ଜୀ ସରକାରକୁ ଟାର୍ଗେଟ କରିଛନ୍ତି ।
ଏନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଯେ, ଏଭଳି ଘଟଣା ମଣିଷ ସମାଜ ପାଇଁ ଲଜ୍ୟାଜନକ । ଦିନକୁ ଦିନ ମାନବିକତା ହଜିଯାଉଛି । ଜଣେ ଶିକ୍ଷକ, ତାଙ୍କର ଗର୍ଭବତୀ ସ୍ତ୍ରୀ ଏବଂ 8 ବର୍ଷର ପୁଅକୁ ଘରେ ପଶି ହତ୍ୟା କରାଯାଉଛି । ହେଲେ ରାଜ୍ୟ ସରକାରଙ୍କ ପଟୁ ଏ ସମ୍ପର୍କରେ କୌଣସି ଜବାବ ମିଳୁନାହିଁ । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚୁପ ବସିଛନ୍ତି
ସେପଟେ ବିଜେପି ମହାସଚିବ କୈଳାଶ ବିଜୟଭାର୍ଗୀୟ ଟ୍ବିଟ କରି କହିଛନ୍ତି ଯେ, ଏତେ ବଡ଼ ଜଘନ୍ୟ ହତ୍ୟାକାଣ୍ଡ ଠାରୁ ଆଉ କଣ ହୋଇପାରିବ? ପ୍ରକାଶ ପାଲ, ତାଙ୍କର ଗର୍ଭବତୀ ସ୍ତ୍ରୀ ଏବଂ 8 ବର୍ଷର ପୁଅକୁ ଘରେ ପଶି ହତ୍ୟା କରାଯାଉଛି । କୌଣସି ରାଜ୍ୟର ଆଇନକାନୁନ ବ୍ୟବସ୍ଥା ଠିକ ଅଛି ବୋଲି କିପରି ମାନିବା, ଯେତେବେଳେ ସାଧାରଣ ଜନତାଙ୍କ ଜୀବନ ସୁରକ୍ଷିତ ନାହିଁ । ଦିଦି ଆପଣଙ୍କ ଶାସନକାଳରେ କଣ ହେଉଛି?