ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତା ଫାଶୀଖୁଣ୍ଟରୁ ବଞ୍ଚିବା ପାଇଁ ନିଜର ଶେଷ ଆଇନଗତ ବିକଳ୍ପ ଆପଣାଇଛି । ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି ପବନ କୁମାର ଗୁପ୍ତା । ଏନେଇ ପବନ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂହ ସୂଚନା ଦେଇଛନ୍ତି ।
ନିର୍ଭୟା ମାମଲା: କ୍ୟୁରେଟିଭ୍ ପିଟିସନ୍ ଖାରଜ ପରେ ରାଜକ୍ଷମା ଆବେଦନ କଲା ପବନ
13:38 March 02
ପୂର୍ବାହ୍ନ 12ଟା ସମୟରେ ଏହି ଆବେଦନ କରାଯାଇଥିବା ଏପି ସିଂହ କହିଛନ୍ତି । ଏହା ପୂର୍ବରୁ ସୁପ୍ରିମ୍ କୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ପବନ କୁମାର ଗୁପ୍ତର କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଥିଲେ । ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନ୍ୟ ତିନି ଦୋଷୀଙ୍କ ସହ ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପବନ ରାଜକ୍ଷମା ଆବେଦନ କରିଛି ।
ସେପଟେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି । ଦୋଷୀଙ୍କ ଡେଥ ୱାରେଣ୍ଟ ଉପରେ ରୋକ ଲଗାଇବାକୁ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ସେମାନେ ।
ସୂଚନାଯୋଗ୍ୟ ଯେ, ନିର୍ଭୟା ମାମଲାର 4 ଦୋଷୀଙ୍କୁ ଆସନ୍ତା କାଲି(ମାର୍ଚ୍ଚ 3) ସକାଳ 6ଟାରେ ଫାଶୀଖୁଣ୍ଟରେ ଝୁଲାଇବାକୁ ଡେଥ ୱାରେଣ୍ଟ ଜାରି ହୋଇଛି ।