ଇସ୍ତାନବୁଲର ପ୍ରସିଦ୍ଧ ହାଜିଆ ସୋଫିଆକୁ ପୁନଃ ମସଜିଦରେ ପରିବର୍ତ୍ତନ କରିବାକୁ ତୁର୍କି ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନେଇ ଅନ୍ତର୍ଜାତୀୟ ସ୍ତରରେ ହେଉଛି ଜୋରଦାର ପ୍ରତିବାଦ। ଆଧୁନିକ ତୁର୍କିର ପ୍ରତିଷ୍ଠାତା କେମଲ ଆତାତୁର୍କ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଯେଉଁ ଆଦର୍ଶ ନେଇ ଆଧୁନିକ ତୁର୍କି ଗଠନ କରିଥିଲେ ତାହା ଏହି ନିଷ୍ପତ୍ତିରେ ମଳିନ ପଡିଯାଇଛି। ପଡୋଶୀ ଗ୍ରୀସ୍ ଠାରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ ଏବଂ ରୁଷ୍ ଆଦି କିଛି ରାଷ୍ଚ୍ର ତୁର୍କି ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ ଉଦବେଗ ପ୍ରକାଶ କରିବା ସହ ଏହାର ପ୍ରତିବାଦ କରିଛନ୍ତି। ଭାଟିକାନ ସିଟିରେ ପୋପ୍ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହାଦ୍ବାରା ୟୁନେସ୍କୋ ବି ସତର୍କ କରି କହିଛି, ଏପରି ନିଷ୍ପତ୍ତିରେ ଏହି ପବିତ୍ର ସ୍ଥଳୀର ବିଶ୍ବ ଐତିହ୍ୟ ମାନ୍ୟତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏପରିକି ଏହା ପ୍ରତ୍ୟାହାର କରି ନିଆଯାଇପାରେ ବୋଲି ମଧ୍ୟ କହିଛି। ଏହି ସ୍ଥାନର ମର୍ଯ୍ୟାଦାରେ ଆଞ୍ଚ ଆସିବା ଭଳି କୌଣସି ନିଷ୍ପତ୍ତି ନନେବା ପାଇଁ ୟୁନେସ୍କୋ ଚେତାଇ ଦେଇଛି।
ତେବେ ଯାହାହେଉ, ଜୁଲାଇ 24ରୁ ହାଜିଆ ସୋଫିଆର ଦ୍ବାର ପୁଣି ଥରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲିବ ଏବଂ ଏହି କୀର୍ତ୍ତିରାଜି ପ୍ରାଙ୍ଗଣରେ ଶୁକ୍ରବାର ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। 1934ରେ କ୍ୟାବିନେଟ ନିଷ୍ପତ୍ତି କ୍ରମେ ହାଜିଆ ସୋଫିଆକୁ ଏକ ମ୍ୟୁଜିୟମରେ ପରିଣତ କରାଯାଇଥିଲା। ତୁର୍କିର ସର୍ବୋଚ୍ଚ ପ୍ରାଶାସନିକ ଅଦାଲତ 1934 ମସିହାରେ ହୋଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେବା ପରେ ପରେ ରାଷ୍ଟ୍ରପତି ତାଇବ ଏରଡୋଗାନ ଜୁଲାଇ 10ରେ ଏକ ଆଇନ ବଳରେ ଷଷ୍ଠ ଶତାଦ୍ଦୀର ବିଶ୍ବର ଅତି ମନୋରମ ବାଇଜାଣ୍ଟାଇନ ଚର୍ଚ୍ଚକୁ ଏକ ମସଜିଦରେ ପରିଣତ କରିବା ସହ ଏହା ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଖୋଲାଯିବ ବୋଲି ଘୋଷଣା କରିଥିଲେ । ଇସ୍ତାନବୁଲ ସହରର ମୁଖ୍ୟ ଆକର୍ଷଣ ହାଜିଆ ସୋଫିଆ ୟୁରୋପ ଏବଂ ଏସିଆର ଏକ ମିଳନ ସ୍ଥଳୀର ପରିଚୟ ଦିଏ। ବାସ୍ତବରେ ଏହା ପାଶ୍ଚାତ୍ୟ ଓ ପ୍ରାଚ୍ୟ ସଭ୍ୟତା କିମ୍ବଦନ୍ତୀ ପ୍ରତୀକ ଭାବେ ରହି ଆସିଛି। ଏହାର ନିର୍ମାଣ ଚର୍ଚ୍ଚ ଭଳି, ହେଲେ ଏହାର ଉପର ଭାଗ ଦେଖିବାକୁ ମସଜିଦ୍ ଆକାରର। ଆତାତୁର୍କ ତାଙ୍କ ଶାସନକାଳରେ ଏହାକୁ ଏକ ମ୍ୟୁଜିୟମରେ ପରିଣତ କରିଥିଲେ। ଏହାକୁ ସାରା ବିଶ୍ବରେ ତୁର୍କୀ ଧର୍ମନିରପେକ୍ଷତାର ପ୍ରତୀକ କୁହାଯାଏ।
ହ୍ବାଇଟ ହାଉସରୁ ନେଇ କ୍ରେମଲିନ ଏବଂ ୟୁରୋପୀୟ ସଂଘ ଅନ୍ତର୍ଜାତୀୟ ସ୍ତରରେ ସବୁଠି ତୁର୍କୀ ସରକାରଙ୍କ ନିଷ୍ପତ୍ତିର ହୋଇଛି ପ୍ରତିବାଦ। ତେବେ ଭାରତ ଏଥିରେ ସାମିଲ ହୋଇନାହିଁ। ତୁର୍କୀ ରାଷ୍ଟ୍ରପତି ଏରଡୋଗାନ ବିଗତ ବର୍ଷେ ହେଲା ସାଉଦୀ ଆରବ ଏୂବଂ ଇରାନ ସହିତ ଶତ୍ରୁତା କରି ନିଜକୁ ଅନ୍ତର୍ଜାତୀୟ ସ୍ତରରେ ଇସଲାମୀୟ ନେତା ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଭାରତକୁ ମଧ୍ୟ ସମାଲୋଚନା କରି ଆସୁଛନ୍ତି। ଜାମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେଉ ବା ଦିଲ୍ଲୀରେ ସଂଘଟିତ ଦଙ୍ଗାରେ ମୁସଲମାନଙ୍କ ଗଣସଂହାର ପାଇଁ ଭାରତକୁ ସମାଲୋଚନା କରି ଆସିଛନ୍ତି ଏରଡୋଗାନ। ଏହି ପରିପ୍ରେକ୍ଷୀରେ ହାଜିଆ ସୋଫିଆକୁ ଏକ ମସଜିଦରେ ପରିଣତ କରିବା ନିଷ୍ପତ୍ତି ନେଇ ଏରଡୋଗାନଙ୍କୁ ସମାଲୋଚନା କରିବା ପାଇଁ ଭାରତ ପାଖରେ ଏକ ସୁଯୋଗ ଥିଲା।
ବିଶାଳ ଜନସଂଖ୍ୟାକୁ ନେଇ ଭାରତ ନିଜକୁ ଶକ୍ତିଶାଳୀ ବୋଲି କହି ଆସୁଛି, କିନ୍ତୁ ତାହା ନୁହେଁ । ଏହା ହେଉଛି ଭାରତ ସମ୍ପର୍କରେ ଏରଡୋଗାନଙ୍କ କଟୁ ମନ୍ତବ୍ୟ। ଏପରିକି ସେ ପାକିସ୍ତାନକୁ ପ୍ରତିରକ୍ଷା ସାମଗ୍ରୀ ବିକ୍ରି ବଢାଇଛନ୍ତି ଏବଂ ଭାରତ ବିରୁଦ୍ଧରେ ମାଲେସିଆ ସହ ହାତ ମିଳାଇଛନ୍ତି। ପରେ ନୂଆଦିଲ୍ଲୀ ଏରଡୋଗାନଙ୍କୁ ସମାଲୋଚନା କରି କହିଛି,ତାଙ୍କ ମନ୍ତବ୍ୟରୁ ଜଣାପଡିଛି, ତାଙ୍କର ନା ଇତିହାସ ସମ୍ପର୍କରେ ଜ୍ଞାନ ରହିଛି ନା ଆଚରଣ, ଉଚ୍ଚାରଣରେ ବିଶ୍ବାସ ରହିଛି..ଏଥିରେ ସେ ଅତୀତର ଘଟଣାବଳୀକୁ ଭୁଲଭାଲ ଚିତ୍ରଣ କରିବା ତାଙ୍କର ସଂକୀର୍ଣ୍ଣ ଚିନ୍ତାଧାରା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଥିଲା।
ଏରୋଡୋଗାନ ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟ ଏବେ ସତ ହେବାକୁ ଯାଉଛି। ଏକ ପ୍ରାଚୀନ କୀର୍ତ୍ତିରାଜିକୁ ଏକ ନିର୍ଦ୍ଦିଷ୍ଚ ବିଶ୍ବାସ ରଖିଥିବା ଲୋକଙ୍କ ଧର୍ମପୀଠରେ ପୁନଃ ପରିବର୍ତ୍ତନ କରିବା ନେଇ ଏରଡୋଗାନଙ୍କ କାର୍ଯ୍ୟାନୁଷ୍ଠାନରୁ ଜଣାପଡୁଛି ସଂଖ୍ୟାଗରିଷ୍ଠ ମତକୁ ଭାରତ ସମେତ ଅନେକ ରାଷ୍ଟ୍ର ଗୁରୁତ୍ବ ଦେଉଛନ୍ତି। ସମ୍ଭବତଃ ଏଥିପାଇଁ ଏହି ପ୍ରସଙ୍ଗରେ ଭାରତ ନିରବ ରହିବାକୁ ପସନ୍ଦ କରିଛି। କିନ୍ତୁ ସାଂସ୍କୃତିକ କେନ୍ଦ୍ର ଓ ସମ୍ମାନଜନକ ସହବସ୍ଥାନର ପ୍ରତୀକ ବହନ କରୁଥିବା ହାଗିଆ ସୋଫିଆ ଢାଞ୍ଚାକୁ ନେଇ ଏବେ ଅନେକ ରାଷ୍ଟ୍ର ପ୍ରଶ୍ନ କରୁଛନ୍ତି।
ଶହେ ବର୍ଷ ପୂର୍ବେ ଯେତେବେଳ ଓଟୋମ୍ୟାନ ଏମ୍ପାୟାରର ଶାସକ ଖଲିଫାଙ୍କର ପତନ ହୋଇଥିଲା ଏବଂ ଖିଲାଫତ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ସେ ସମୟରେ ଏହା ଭାରତର ସ୍ବାଧୀନତା ଆନ୍ଦୋଳନକୁ ବଳ ଯୋଗାଇଥିଲା। ତୁର୍କୀ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ହେଁ ଭାରତ ସରକାର ବିଶ୍ବ ସମୁଦାୟର ବିରୋଧ ସତ୍ତ୍ବେ ନିରବ ରହିବାକୁ ବାଛିଲା। ଏହାକୁ ଦୁଇଟି କାରଣରୁ ବିଚାର କରାଯାଇପାରେ; ଅନ୍ୟ କାହାର “ଧାର୍ମିକ” ପ୍ରସଙ୍ଗରେ ଭାରତ ପ୍ରତିକ୍ରିୟା ଦେବାକୁ ଚାହେଁନାହିଁ ଏବଂ ଅଧିକ ଇସଲାମୀୟ ରାଷ୍ଟ୍ର ସହ ଶତ୍ରୁତା କରିବା ଚାହେଁନି ଏବଂ ମନ୍ଦିର ବିବାଦ ଭଳି ଦେଶର ଆଭ୍ୟନ୍ତରୀଣ ଧାର୍ମିକ ପ୍ରସଙ୍ଗଗୁ଼ଡିକ ଉପରେ ଅଧିକ ଆଲୋଚନା ଚାହେଁନାହିଁ।