ଅମରାବତୀ: ସାମାଜିକ ବାସନ୍ଦ ସହିନପାରି ପରିବାର ସହ ଇଚ୍ଛାମୃତ୍ୟୁ ଆବେଦନ କରି ଚିଠି ଲେଖିଲେ ଏମପିଟିସିର ପୂର୍ବତନ ସଦସ୍ୟ । ଆନ୍ଧ୍ରପ୍ରଦେଶ ଅଙ୍ଗୋଲ ଜିଲ୍ଲା ରାମଚନ୍ଦ୍ରପୁରମର କୋଡୁରୀ ଭେଙ୍କଟେଶ୍ବରଲୁ ଏମପିଟିସିର ପୂର୍ବତନ ସଦସ୍ୟ ରହିଛନ୍ତି । ଗ୍ରାମର ଏକ ଜମି ପାଇଁ ପାସବୁକ ତିଆରି କରିଥିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ପଚାରାଉଚାରା କରାଯାଇଥିଲା। ସେବେଠାରୁ ଗାଁଲୋକ ତାଙ୍କୁ ବାସନ୍ଦ କରିଦେଇଛନ୍ତି । ଏହା ବ୍ୟତୀତ କିଛି ଲୋକ ଗତ ବର୍ଷ ଭେଙ୍କଟେଶ୍ବରଲୁଙ୍କ ପରିବାରର ଡଙ୍ଗା, ଜାଲ ଏବଂ ଇଞ୍ଜିନ ମଧ୍ୟ ତାଙ୍କଠାରୁ ଛଡାଇ ନେଇଛନ୍ତି।
ଏହାପରେ ଜିଲ୍ଲା ସ୍ତରର ଅଧିକାରୀମାନେ ଗାଁରେ ବୈଠକ କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। କିନ୍ତୁ ଏହାର କୌଣସି ଫଳାଫଳ ବାହାରିନଥିଲା । ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନଥିଲା। ସେପଟେ ଭେଙ୍କଟେସ୍ବରଲୁ ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହେବାପରେ ପୋଲିସକୁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ତାହା ମଧ୍ୟ ସଫଳ ହୋଇନଥିଲା। ଭେଙ୍କଟେଶ୍ବରଲୁଙ୍କ ସାନପୁଅ ରାଜୁ କିଛି ଦିନ ତଳେ ଗାଁରେ ରହିବାକୁ ଯାଇଥିଲେ । ହେଲେ ଗାଁ ଲୋକେ ତାଙ୍କୁ ଆକ୍ରମଣ କରିଥିଲେ। ସେହି ଦିନ ସେ ଭେଟ୍ଟାପଲେମ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି। ତେବେ ପରିବାର ପୋଷଣ ପାଇଁ ତାଙ୍କର ମାଛ ଧରିବାକୁ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିବା ଭେଙ୍କଟେଶ୍ବରଲୁ କହିଛନ୍ତି।