ହାଇଦ୍ରାବାଦ: ମହାତ୍ମା ଗାନ୍ଧୀଙ୍କୁ ତାଙ୍କର 150 ତମ ଜନ୍ମ ଜୟନ୍ତୀ ପାଇଁ ମନେପକାଉଛି ସାରା ଭାରତ । ତେବେ ସେ କେବଳ ଦେଶକୁ ସ୍ବାଧୀନ କରିବା ପାଇଁ ମନେ ପଡିବେ ତା ନୁହେଁ ତାଙ୍କର ଅର୍ଥନୀତି ଉପରେ ଥିବା ଯୋଗଦାନକୁ ମଧ୍ୟ ମନେ ରଖିବ ଦେଶ ।
ଗାନ୍ଧୀଙ୍କ ଅର୍ଥନୀତି ବାସ୍ତବରେ ସାଧାରଣ ଓ ସମାଜବାଦ ଥିଲା । ତାଙ୍କ ଆର୍ଥିକ ବିଚାର ଅନୁଯାୟୀ, ଆର୍ଥିକ ବିକାଶ ସହ ଯୋଡି ହୋଇଥିବା ସବୁ ପ୍ରକାର ସମସ୍ୟାକୁ ଏକାସାଥିରେ ନେବା । ତତ୍କାଳୀନ ସମୟରେ ଚାଲିଥିବା ଅର୍ଥନୀତିର ମଡେଲକୁ ସେ ନିଷ୍କ୍ରିୟ କରିବାକୁ ଚାହୁଁଥିଲେ । ସେ କହୁଥିଲେ ସମସ୍ତଙ୍କୁ କାମ ଓ ସୁରୁଖୁରୁରେ ନିଜର ଦୈନିକ ଜୀବନଯାପନ କରିବା ଏକ ଆର୍ଥିକ ପ୍ରଣାଳୀକୁ ସୁନିଶ୍ଚିତ କରିବା ଦରକାର । ସାଧାରଣ ଜୀବନ ବଞ୍ଚିବା ଲାଗି ସେ କେବେବି ବିଳାସମୟ ଜୀବନକୁ ପ୍ରୋତ୍ସାହିତ କରୁନଥିଲେ । ଏହା ସହ ଲୋକଙ୍କୁ ବିଳାସମୟ ଜୀବନରୁ ଦୂରେଇ ସରଳ ଭାବେ ଜୀବନ ନିର୍ବାହ କରିବାକୁ କହୁଥିଲେ ।
ଗାନ୍ଧୀ ଗ୍ରାମୀଣ ଉଦ୍ୟୋଗ, କୃଷି ଭିତ୍ତିକ ଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଗ୍ରାମୀଣ ରୋଜଗାର ବଢାଇବା ପାଇଁ କହୁଥିଲେ । ଦେଶରେ ଅଧିକ ଲୋକ କୃଷି ଉପରେ ନିର୍ଭର କରୁଥିବା କାରଣରୁ ସେ ଏପରି କହୁଥିଲେ । ଏହାସହ ସେ କହୁଥିଲେ ଏହି ସବୁ ଶିଳ୍ପରୁ ମିଳୁଥିବା ଲାଭାଂଶକୁ ସବୁ ଷ୍ଟେକ୍ ହୋଲଡରଙ୍କ ମଧ୍ୟରେ ସମାନ ପରିମାଣର ବାଣ୍ଟି ଦିଆଯାଉ । ଫଳରେ ସବୁ ଲୋକଙ୍କ ପାଖରେ ସମପରିମାଣର ସମ୍ପଦ ପହଞ୍ଚିବ ।
ତେବେ ସ୍ବାଧୀନତା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ନିଜ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ବେରୋଜଗାରକୁ ଦୃଷ୍ଟିରେ ରଖି ଗାନ୍ଧୀଙ୍କ ଚିନ୍ତାଧାରା ବିରୋଧରେ ଯାଇ ବୃହତ୍ ଶିଳ୍ପକୁ ଉନ୍ନତ କରିବାକୁ ଯୋଜନା ପ୍ରଣୟନ କଲେ । ଏହା ବି ଦରକାର ଥିଲା କାରଣ ସ୍ବାଧୀନତା ପରେ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଶିକ୍ଷିତ ଲୋକ କମ୍ ଓ ଗରିବ ଅଧିକ ପରିମାଣରେ ଥିଲେ । ଏହା ସହ ବ୍ରିଟିଶ୍ ଶାସନରେ ଶୋଷିତ ହୋଇ ସେମାନେ ତଳିତଳାନ୍ତ ହୋଇଥିଲେ ।
ସେ ସମୟରେ ଏହା ଫଳପ୍ରଦ ହୋଇଥିଲେ ବି ପରେ ଭାରତ ଅର୍ଥନୀତି ବିଭିନ୍ନ ସମସ୍ୟାର ସମ୍ମୁଖୀନ କରିଥିଲା । ଏହା ପରେ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ଫଳରେ ଅର୍ଥନୀତିରେ ବଡ ପରିବର୍ତ୍ତନ ଆସିଲା । ଏହା ସହ ଗାନ୍ଧୀଙ୍କ ଅର୍ଥନୈତିକ ବିଚାରର ବିରୋଧରେ ଏହା ଚାଲିଗଲା । ଏହା ଫଳରେ ଭାରତ ଜିଡିପି ବୃଦ୍ଧି ହେଲା ସତ ହେଲେ ପ୍ରକୃତରେ ସମ୍ବଳର ସମାନ ପରିମାଣରେ ଭାଗ ହୋଇପାରିଲା ନାହିଁ । ଏପରି ହେବା ଫଳରେ କୃଷି ଅପେକ୍ଷା ଲୋକେ କଳକାରଖାନା ମୁହାଁ ହେଲେ । କ୍ଷୁଦ୍ର ଶିଳ୍ପ ମଲ୍ଟି ନ୍ୟାସନାଲ କମ୍ପାନୀ ଗୁଡିକ ସାମ୍ନାରେ ନିଜର ଅସ୍ତିତ୍ବ ହରାଇଲା ।
ତେବେ ଏପରି ହେବା ଫଳରେ ଦେଶରେ ବେରୋଜଗାର ହାର 45 ବର୍ଷରେ ସବୁଠାରୁ ଅଧିକ ରହିଛି । କୃଷିଶିଳ୍ପ ସଙ୍କଟ ମଧ୍ୟରେ ଗତି କରୁଛି । ଏବେବି ଦେଶରୁ ଗରିବୀ ହଟିନି । ବିଶ୍ବରେ ଥିବା ଅତି ଗରିବ ପିଲାଙ୍କ ମଧ୍ୟରୁ ଭାରତରେ 30.3 ପ୍ରତିଶତ ରହୁଥିବା ଜାତିସଂଘ ଓ ଆଇଏଲଓ ଦ୍ବାରା ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡିଛି । ଅନ୍ୟପଟେ କୃଷିକ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ କମ ଥିବାରୁ ତାହା କୃଷି କରିବାକୁ ହତୋତ୍ସାହିତ କରୁଛି । ଚାଷରେ ଲାଭ ଦେଉନଥିବାରୁ 48 ପ୍ରତିଶତ ଚାଷୀ ଆଉ ଚାଷ କରୁନାହାନ୍ତି ।
ସରକାର 2015 ସୁଦ୍ଧା 5 ଟ୍ରିଲିୟନ ଅର୍ଥନୀତିରେ ପ୍ରବେଶ କରିବା ପାଇଁ କହୁଥିବାବେଳେ ଦେଶର ଏପରି ଅବସ୍ଥା ବିଷୟରେ ଚିନ୍ତା କରିବା ଆବଶ୍ୟକ । ତେବେ ଆମେ ଗାନ୍ଧୀଙ୍କ ଅର୍ଥନୀତି ଉପରେ ନିଜ ମତ ଦେଖିଲେ ଜାଣିବା ଯେ ସେ କେବଳ ଅଭିବୃଦ୍ଧିକୁ ପ୍ରାଧାନ୍ୟ ନଦେଇ ସାମୂହିକ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେଉଥିଲେ । ସେ କୃଷିକ୍ଷେତ୍ର ଓ ଗ୍ରାମୀଣ ଉଦ୍ୟୋଗକୁ ଆଗକୁ ନେଇ ଅର୍ଥନୀତିକୁ ଆଗକୁ ନେବାକୁ ଚାହୁଁଥିଲେ । ଯାହାକି ଏବେ ସଙ୍କଟରେ ରହିଛି । ତେବେ ଏହା ଯୁକ୍ତିଯୁକ୍ତ ନୁହେଁ ଯେ ଗ୍ରାମୀଣ ଉଦ୍ୟୋଗ ବଢିଲେ ମଲ୍ଟି ନ୍ୟାସନାଲ କମ୍ପାନୀ ବନ୍ଦ ହୋଇଯିବ । ତେଣୁ ଏବେ ସମୟ ଆସିଛି ଅନେକ ଦଶନ୍ଧି ଧରି ଉପେକ୍ଷିତ ହେଉଥିବା ଗ୍ରାମୀଣ ଭାରତକୁ ପ୍ରୋତ୍ସାହିତ କରିବା ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ସ୍ବଦେଶୀ ଓ ସ୍ବଭାବଲମ୍ବୀ ପାଇଁ ଗାନ୍ଧୀଜୀ ଆରମ୍ଭ କରିଥିବା ଖଦିଶିଳ୍ପକୁ ମଧ୍ୟ ପ୍ରୋତ୍ସାହନ ଦେଲେ ଏହା ଭାରତର ଅର୍ଥନୀତିକୁ ଆଗକୁ ନେଇପାରିବ । ଏହା ସହ କ୍ଷୁଦ୍ର ଶିଳ୍ପକୁ ପ୍ରୋସାହିତ କଲେ ହିଁ ସରକାରଙ୍କ 5 ଟ୍ରିଲିୟନ ଅର୍ଥନୀତି ସତ ହେବ ବୋଲି କୁହାଯାଉଛି । ଯାହାକି ଗାନ୍ଧୀ କହିଥିବା ଅର୍ଥନୀତି ଉପରେ ପର୍ଯ୍ୟବେଷ୍ଟିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ