ହାଇଦ୍ରାବାଦ: ତିନିବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଅନୁଷ୍ଠିତ ସଂଯୁକ୍ତ ରାଷ୍ଟ୍ର ମହାସଭା(ୟୁଏନଜିଏ)ରେ ଭାଗ ନେବେ । ସେ 2015 ମସିହାରେ 70ତମ ଜାତିସଂଘ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ । 2015ରୁ 2019 ମଧ୍ୟରେ ବିଶ୍ବରେ ବିଭିନ୍ନ ପରିବର୍ତ୍ତନ ଦେଖାଦେଇଛି । ଗତ ସମ୍ମିଳନୀରେ ଭାଗନେଇଥିବା ବିଶ୍ବର ପ୍ରମୁଖ ନେତାମାନଙ୍କ ଦ୍ବାରା କାର୍ଯ୍ୟସୂଚୀ 2030 ମାଧ୍ୟମରେ 17ଟି ଶତତ ବିକାଶ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିଲା । କାର୍ଯ୍ୟସୂଚୀ 2030ରେ ବିକାଶ ଓ ପରିବେଶ ସୁରକ୍ଷାକୁ ପ୍ରମୁଖତା ଭିତ୍ତିରେ ସ୍ଥାନ ଦିଆଯାଇଥିଲା । ବିକାଶ ଲକ୍ଷ୍ୟରେ ଭାରତର ବିକାଶ କାର୍ଯ୍ୟସୂଚୀ ସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ପ୍ରକାଶ କରିଥିଲେ ।
କାର୍ଯ୍ୟସୂଚୀ 2030 ମାଧ୍ୟମରେ ରାଷ୍ଟ୍ରମାନଙ୍କ ଦ୍ବାରା ନିର୍ଦ୍ଧାରିତ ବିକାଶ ଲକ୍ଷ୍ୟକୁ ନେଇ ଆନ୍ତର୍ଜାତିକ ସହଯୋଗ ପ୍ରତିଷ୍ଠା କରାଯିବ । ନ୍ୟୁୟର୍କରେ 23ରୁ ହେବାକୁ ଥିବା ଶିଖର ସମ୍ମିଳନୀରେ କାର୍ଯ୍ୟସୂଚୀ 2030ରେ ଭାରତର ନେତୃତ୍ବକାରୀ ଭୂମିକା ଶୀର୍ଷକରେ ପ୍ରଧାନମନ୍ତ୍ରୀ ନିଜର ମତ ଉପସ୍ଥାପିତ କରିବେ । ଏହା ସହ ଜାତିସଂଘ ମହାସଚିବଙ୍କ କ୍ଲାଇମେଟ ଆକ୍ସନ ସମିଟ, ସାର୍ବଜନିନ ସ୍ବାସ୍ଥ୍ୟ ପାଇଁ ଉଚ୍ଚସ୍ତରୀୟ ବୈଠକ, ଦି ଲିଡର୍ସ ଡାଇଲଗ ସହିତ ଭାରତ ପକ୍ଷରୁ ମହାତ୍ମା ଗାନ୍ଧିଙ୍କ 150ତମ ଜନ୍ମ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ ।
2014 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭା ଦ୍ବାରା ବେଶ ଗ୍ରହଣୀୟ ହୋଇଥିଲା । ପ୍ରସ୍ତାବଟିକୁ 177ଟି ଦେଶ ଦ୍ବାରା ରେକର୍ଡ 75 ଦିନରେ ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ଜାତିସଂଘ ମୁଖ୍ୟାଳୟରେ ଭାରତ ଦ୍ବାରା ପ୍ରତିଷ୍ଠା କରାଯାଇଥିବା 80 ଗିଗାୱାଟ କ୍ଷମତା ବିଶିଷ୍ଟ ସୋଲାର ଶକ୍ତିକେନ୍ଦ୍ରକୁ ନେଇ ୟୁଏନଜିଏ ସନ୍ତୋଷ ବ୍ୟକ୍ତ କରିବ। ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ଏହା ଭାରତ ପାଇଁ ପ୍ରମୁଖ ଉପଲବ୍ଧି ହେବ । ଏହି ସୋଲାର ପ୍ୟାନେଲ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଉଦଘାଟନ କରାଯିବ ।
ଭାରତର ‘ଆୟୁଷ୍ମାନ ଭାରତ’ ଯୋଜନା 2018 ମସିହାରେ ଲାଗୁ କରାଯାଇଥିଲା । ଭାରତ ଦ୍ବାରା ପ୍ରଣୀତ ଏହି ଯୋଜନାରେ 5ଶହ ମିଲିୟନ ଉପଭୋକ୍ତା ରହିଛନ୍ତି । ଯାହାକୁ ଭାରତ ଶତତ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକ୍ଷେତ୍ରର ଉଦ୍ଦେଶ୍ୟ ସ୍ଥାପିତ କରିବାରେ ସକ୍ଷମ ହୋଇଛି । ଏହା ସହ ପରିମଳ କ୍ଷେତ୍ରରେ ଭାରତର ସ୍ବଚ୍ଛ ଭାରତ ଅଭିଯାନ ମଧ୍ୟ ଉଲ୍ଲେଖନୀୟ ବିକାଶ ପ୍ରକ୍ରିୟାରେ ଏକ ପ୍ରମୁଖ ଯୋଜନା ଭାବରେ ଉଭା ହୋଇଛି ।