ନୂଆଦିଲ୍ଲୀ: ଏଣିକି ଦୃଷ୍ଟିହୀନମାନେ ସହଜରେ ଅସଲି ଓ ନକଲି ନୋଟ ମଧ୍ୟରେ ତଫାତ୍ ଜାଣିପାରିବେ । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏକ ମୋବାଇଲ ଆପ ଆଣିବାକୁ ଯାଉଛି । ଦେଶରେ ନକଲି ନୋଟ କାରବାର ବୃଦ୍ଧି ପାଉଥିବାରୁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ଦୃଷ୍ଟିହୀନମାନଙ୍କୁ ନକଲି ନୋଟ ପରଖିବାରେ ଯେଭଳି ଅସୁବିଧା ନହୁଏ ସେଲାଗି ନୋଟରେ ଇଣ୍ଟାଗ୍ଲିଓ ପ୍ରିଣ୍ଟିଙ୍ଗର ଚିହ୍ନ ରହିଥାଏ । ଏହି ଚିହ୍ନ 100 ଟଙ୍କା ଏବଂ ଏହା ଠାରୁ ଉପର ନୋଟ ଗୁଡିକରେ ରହିଥାଏ । ବର୍ତ୍ତମାନ 10, 20, 50, 100, 200, 500 ଏବଂ 2000 ଟଙ୍କିଆ ବ୍ୟାଙ୍କ ନୋଟରେ ଏହି ଚିହ୍ନ ରହିଛି ।
ଆରବିଆଇ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦୃଷ୍ଟିହୀନ ଲୋକଙ୍କ ପାଇଁ ନଗଦ ଆଧାରିତ ଲେଣଦେଣକୁ ସହଜ କରିବା ପାଇଁ ବ୍ୟାଙ୍କ ନୋଟର ଚିହ୍ନଟ ହେବା ଆବଶ୍ୟକ ରହିଛି । ସେହିପରି କେନ୍ଦ୍ରୀୟ ବ୍ୟାଙ୍କର କହିବାନୁଯାୟୀ ଆଗାମୀ ଦିନରେ ଦୃଷ୍ଟିହୀନମାନେ ନିଜ ଦୈନନ୍ଦିନ କାରବାରରେ ଯେପରି ବ୍ୟାଙ୍କ ନୋଟର ବ୍ୟବହାର ନେଇ ଅସୁବିଧାରେ ନପଡନ୍ତି ସେଥିପ୍ରତି ଆରବିଆଇ ବେଶ ସମ୍ବେଦନଶୀଳ । ତେବେ ଏହି ମୋବାଇଲ ଆପର ବିକାଶ କରିବାକୁ ବ୍ୟାଙ୍କ ଏକ ବିକ୍ରେତା ଖୋଜୁଥିବା ସୂଚନା ରହିଛି ।