ଡକ୍ଟର କେ.ଶ୍ରୀନିବାସ ରାଓ*
କୋରୋନା ଭାଇରସ୍ (କୋଭିଡ-19) ସର୍ବବ୍ୟାପୀ ମହାମାରୀର ପ୍ରାଦୁର୍ଭାବ ଆରମ୍ଭ ହେବା ଦିନରୁ ହିଁ ଏକ ସଜାଗ କେନ୍ଦ୍ରୀୟ ବ୍ୟାଙ୍କ ଏହାର ଅର୍ଥ ନେଣଦେଣ ବ୍ୟବସ୍ଥା ଜରିଆରେ ସକ୍ରିୟ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସେହି ଉଦାରବାଦୀ ଦୃଷ୍ଟିଭଙ୍ଗୀକୁ ଅବ୍ୟାହତ ରଖି ଏବେ ଏହାର ସପ୍ତମ ଦ୍ବି-ମାସିକ ଆର୍ଥିକ ନୀତି ସମୀକ୍ଷା ବୈଠକରେ, ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ ନିମନ୍ତେ କେତେକ ଆର୍ଥିକ ଏବଂ ନିୟନ୍ତ୍ରକ ପଦକ୍ଷେପ ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କର ଏହି ସବୁ ପଦକ୍ଷେପ ଆଶାନୁରୂପ ଭାବରେ ନିଆଯାଇଛି ଏବଂ ଏଥିରେ ବିଭିନ୍ନ ଅଭିନବ ବ୍ୟବସ୍ଥା ସ୍ଥାନ ପାଇଥିଲେ ହେଁ କିଛି ମାତ୍ରାରେ ରକ୍ଷଣଶୀଳତା ବି ରହିଛି । ରେପୋ ରେଟ୍ରେ 75 ବେସିସ୍ ପଏଣ୍ଟ ହ୍ରାସ ଯୋଗୁଁ ଏହା 5.15 ପ୍ରତିଶତରୁ 4.4 ପ୍ରତିଶତକୁ ଖସି ଆସିଛି । ତେଣୁ, ବର୍ତ୍ତମାନ ବାହ୍ୟ ବେଞ୍ଚମାର୍କ ରେଟ୍ ସହିତ ସଂଯୁକ୍ତ ହୋଇ ରହିଥିବା ସ୍ବଳ୍ପ ପରିମାଣର ଋଣ ରାଶି ଉପରେ ସୁଧହାର ସ୍ବୟଂଚାଳିତ ସଂଚାରଣ କ୍ରମରେ ଖସି ଆସିବ । ସୁଧହାରରେ ଏହି ସ୍ବୟଂକ୍ରିୟ ସଂଚାରଣ ସଂଘଟିତ ହେବା ଫଳରେ ଋଣଗ୍ରହୀତାମାନଙ୍କୁ ଆବଶ୍ୟକ ସହାୟତା ମିଳିପାରିବ ।
ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ସହିତ ରିଜର୍ଭ ବ୍ୟାଙ୍କ ରିଭର୍ସ୍ ରେପୋ ରେଟ୍କୁ ହ୍ରାସ କରି 4 ପ୍ରତିଶତରେ ପୁନଃସ୍ଥାପିତ କରିଛି । ତଦନୁସାରେ, ପ୍ରଚଳିତ ସୁଧହାର ସଂପର୍କିତ ନୀତି ପ୍ରଣାଳୀ 50 ବେସିସ୍ ପଏଣ୍ଟରୁ 65 ବେସିସ୍ ପଏଣ୍ଟକୁ ବୃଦ୍ଧି ପାଇଛି । ନୂତନ ପ୍ରଣାଳୀରେ ଲିକ୍ୟୁଡିଟି ଆଡଜଷ୍ଟମେଣ୍ଟ ଫ୍ୟାସିଲିଟି (LAF) ଅନ୍ତର୍ଗତ ରିଭର୍ସ ରେପୋ ରେଟ୍, ପଲିସି ରେପୋ ରେଟ୍ ତୁଳନାରେ 40 ବେସିସ୍ ପଏଣ୍ଟ କମ ହେବ, ଯାହାକି ବର୍ତ୍ତମାନ 25 ବେସିସ୍ ପଏଣ୍ଟ ରହିଛି । ହୁଏତ ଏହି ପଦକ୍ଷେପ ଦ୍ବାରା ଋଣ କ୍ଷେତ୍ରରେ ଅଧିକ ଆଶଙ୍କା ଜଡିତ ସ୍ଥିତିକୁ ଆପଣେଇ ନେବାକୁ ବ୍ୟାଙ୍କଗୁଡ଼ିକ ଚାହିଁପାରନ୍ତି । କାରଣ, ସ୍ଥିରୀକୃତ ରିଭର୍ସ ରେପୋ ରେଟ୍ ଯୋଗୁଁ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କରେ ରଖୁଥିବା ପାଣ୍ଠି ଏଣିକି ଆଗକୁ କମିବାରେ ଲାଗିବ ।
ନଗଦ କାରବାରରେ ସହାୟତା ପଦକ୍ଷେପ:-
ଉଚିତ ମୂଲ୍ୟରେ (ସ୍ଥାୟୀ ରେପୋ ରେଟ୍ରେ) ବ୍ୟାଙ୍କଗୁଡ଼ିକୁ ଦୀର୍ଘକାଳୀନ ନଗଦ ଅର୍ଥ ପ୍ରଦାନ ପାଇଁ 2020 ଫେବୃଆରୀ 17 ଏବଂ ମାର୍ଚ୍ଚ 18 ମଧ୍ୟରେ ଆୟୋଜିତ ଏକ ବର୍ଷ ଏବଂ ତିନି ବର୍ଷ କାର୍ଯ୍ୟକାଳର 5ଟି ଦୀର୍ଘକାଳୀନ ରେପୋ ପରିଚାଳନା (LTRO) ଅନ୍ତର୍ଗତ 1,25,000 କୋଟି ଟଙ୍କା ସହିତ ଅବିରତ ଦେୟ ପ୍ରଦାନ ଏବଂ ସମାଧାନ ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ଅଭିଯାନ ଧାରାକୁ ବଜାୟ ରଖିଛି । ସାଂପ୍ରତିକ ସାମାଜିକ ଲକ୍ଡାଉନ୍ କାରଣରୁ ଆଗକୁ ଜମା ପୁଞ୍ଜି ପରିମାଣ କମିବା ଆଶଙ୍କା ରହିଥିବା ଏବଂ ବ୍ୟାଙ୍କ ପ୍ରଣାଳୀରେ ନଗଦ ଅର୍ଥର ଆବଶ୍ୟକତାକୁ ହୃଦୟଙ୍ଗମ କରି କ୍ୟାସ୍ ରିଜର୍ଭ ରେସିଓ (CRR) ପ୍ରତିଶତକୁ ରିଜର୍ଭ ବ୍ୟାଙ୍କ ହ୍ରାସ କରିଛି । ଏହାର ଅର୍ଥ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କରେ ରଖୁଥିବା ଟଙ୍କା ପରିମାଣକୁ 4 ପ୍ରତିଶତରୁ 3 ପ୍ରତିଶତକୁ ଖସାଇ ଦିଆଯାଇଛି ଏବଂ ଏହା ଫଳରେ ବ୍ୟାଙ୍କ ପାଇଁ ଆଉ ପ୍ରାୟ 1,37000 କୋଟି ଟଙ୍କା ଦିଆଯାଇଛି ଏବଂ ଏହା ହୁଏତ ଆଗାମୀ ଦିନରେ ରୁଗ୍ଣ ଶିଳ୍ପ ସଂସ୍ଥାକୁ ଅଧିକ ଋଣ ଦେବା କାମରେ ଲାଗିପାରିବ । ଏମିତି କି ନ୍ୟୂନତମ ସ୍ଥାୟୀ ସୁବିଧା (MSF)ର ପ୍ରତିଶତକୁ ହ୍ରାସ କରାଯାଇଛି ଏବଂ ଏହା ଦ୍ବାରା ବ୍ୟାଙ୍କଗୁଡ଼ିକ 2ରୁ 3 ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବୈଧାନିକ ଚଳନ୍ତି ଅନୁପାତ (SLR) ଅନ୍ତର୍ଗତ ଅମାନତ ବଳରେ ରିଜର୍ଭ ବ୍ୟାଙ୍କରୁ ଅଧିକ ଟଙ୍କା ଋଣ ନେଇପାରିବେ । ଏହା ଫଳରେ ବ୍ୟାଙ୍କଗୁଡ଼ିକୁ ଆଉ 1,37000 କୋଟି ଟଙ୍କାର ସମ୍ବଳ ମିଳିବ ଏବଂ ଏସବୁ ପଦକ୍ଷେପର ସମ୍ମିଳିତ ଫଳାଫଳ ସ୍ବରୂପ ବ୍ୟାପକ ଅର୍ଥରେ ବ୍ୟାଙ୍କଗୁଡ଼ିକ ପାଇଁ ସର୍ବମୋଟ 3,74,000 କୋଟି ଟଙ୍କାର ନଗଦ ରାଶି ଉପଲବ୍ଧ ହୋଇପାରିବ, ଯଦ୍ବାରା ସେମାନେ ଅଧିକ ଋଣ ଦେବାରେ ସମର୍ଥ ହେବେ ।
ବ୍ୟାଙ୍କ ଋଣଗ୍ରହୀତାମାନଙ୍କୁ ସହାୟତା:-
ସାଂପ୍ରତିକ ସଂକଟ ପ୍ରତି ଏକ ବାସ୍ତବବାଦୀ ଏବଂ ବ୍ୟାବହାରିକ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ ପୂର୍ବକ ସମସ୍ତ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ସେମାନଙ୍କ ବର୍ତ୍ତମାନର ଋଣ ପରିଶୋଧ ଉପରେ ତିନି ମାସର ସ୍ଥଗନ ଜାରି କରିପାରିବେ । ଫଳସ୍ବରୂପ, ସର୍ବବ୍ୟାପୀ ମହାମାରୀ ପ୍ରପୀଡ଼ିତ ଋଣଗ୍ରହୀତାମାନେ ସେମାନଙ୍କ ସମାନ ମାସିକ କିସ୍ତି (EMI) ପୈଠ କରିବା ଚାପରୁ ମୁକ୍ତି ପାଇବା ସହିତ ଅନ୍ୟାନ୍ୟ ପ୍ରତିଶ୍ରୁତିକୁ ସ୍ଥଗିତ ରଖିପାରିବେ ।