ଓଡିଶା

odisha

ETV Bharat / bharat

ରାମ ବନବାସ ରାସ୍ତାର ଉନ୍ନତୀକରଣ ହେବ: ଛତିଶଗଡ ମୁଖ୍ୟମନ୍ତ୍ରୀ

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ବନବାସ ସମୟରେ ଛତିଶଗଡ଼ ଦେଇ ଯାଇଥିବା ରାସ୍ତାର ଉନ୍ନତି କରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି । ବନବାସ ଯାଇଥିବା ରାସ୍ତାକୁ ଚିହ୍ନଟ କରାଯାଇ ତାହାର ଉନ୍ନତି କରଣ କରାଯିବ ବୋଲି ସେ କହିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 16, 2019, 8:51 PM IST

ରାୟପୁର: ଅଯୋଧ୍ୟା ବିବାଦର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ସେପଟେ ପ୍ରଭୁ ଶ୍ରୀ ରାମ ବନବାସ ଯାଇଥିବା ପଥର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ସରକାର । ଏନେଇ ଏକ କାର୍ଯ୍ୟକ୍ରମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଛତିଶଗଡ଼ର ଘରେ ଘରେ ରାମ ରହିଛନ୍ତି । ଗଳିକନ୍ଦିରେ ରାମଙ୍କ ପାଦ ଚିହ୍ନ ରହିଛି । ଶ୍ରୀ ରାମଚନ୍ଦ୍ର ଯେଉଁ ରାସ୍ତା ଦେଇ ଯାଇଛନ୍ତି, ସେହି ଅଞ୍ଚଳର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ର ବାଘେଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ଛତିଶଗଡ଼ର ପରମ୍ପରା ଏବଂ ସଂସ୍କୃତିରେ ପ୍ରଭୁ ଶ୍ରୀ ରାମ ରହିଛନ୍ତି । ଯେଉଁ ରାସ୍ତା ଦେଇ ରାମ ବନବାସ ଯାତ୍ରା କରିଥିଲେ, ସେଗୁ଼ଡିକର ସବୁ ଚିହ୍ନଟ କରାଯିବ ଏବଂ ତାହାର ଉନ୍ନତି କରାଯିବ । ଏହି କାର୍ଯ୍ୟକୁ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ସହିତ ନିଜସ୍ବ ଖର୍ଚ୍ଚରେ କରିବେ ବୋଲି ମୁଖ୍ୟମନ୍ତ୍ରୀ ବଘେଲ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳକୁ ପର୍ଯ୍ୟଟକମାନେ କିପରି ସହଜରେ ପହଞ୍ଚି ପାରିବେ ସେନେଇ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

ପୌରାଣିକ ତଥ୍ୟ ଅନୁଯାୟୀ ଶ୍ରୀ ରାମଚନ୍ଦ୍ର ବନବାସ ଯାଇଥିବା ସମୟରେ ଛତିଶଗଡ଼ରେ ସର୍ବାଧିକ ସମୟ କାଟିଥିବା ଜଣାଯାଏ । ଛତିଶଗଡ଼ର କୋଶଳ ଭୂମି ଭାବେ ପରିଚିତ ଏହି ସ୍ଥାନ ରାମଙ୍କ ବାସସ୍ଥାନ ଭାବେ ମଧ୍ୟ ପରିଚିତ ହୋଇଥାଏ । ଛତିଶଗଡ଼ର ପ୍ରଭୁ ଶ୍ରୀ ରାମ ଦେଇ ଯାଇଥିବା ଅଞ୍ଚଳ ଗୁଡ଼ିକର ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଅଞ୍ଚଳ(ପ୍ରଭୁ ଶ୍ରୀ ରାମ ଯେଉଁ ରାସ୍ତା ଦେଇ ବନବାସ ଯାଇଥିଲେ) ଗୁଡ଼ିକର ଉନ୍ନତି କରାଯିବ । ଏହା ସହ ସେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ବାଘେଲଙ୍କ ଏହି ସମାଲୋଚନାର ଜବାବ ଦେଇଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ।

ରମଣ କହିଛନ୍ତି କି ରାମ ବନବାସ ଯାଇଥିବା ରାସ୍ତା ଗୁଡ଼ିକର ଉନ୍ନତି କରଣ ଦାୟିତ୍ବ କେନ୍ଦ୍ର ସରକାରଙ୍କର । ଏହି ସମସ୍ୟାକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି । ଯଦି ବର୍ତ୍ତମାନ ରାଜ୍ୟରେ ଶାସନ ଗାଦି ସମ୍ଭାଳୁଥିବା କଂଗ୍ରେସ ନିକଟରେ କିଛି ଉପାୟ ରହିଛି, ତାହା କେନ୍ଦ୍ର ସରକାରଙ୍କୁ କୁହନ୍ତୁ ବୋଲି ରମଣ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି କଂଗ୍ରେସ ପ୍ରଭୁ ଶ୍ରୀ ରାମଙ୍କୁ ଦୁଇ ଭାଗରେ ବାଣ୍ଟି ଦେଇଛି । ଏହା ନିଚ୍ଚସ୍ତରର ରାଜନୀତିକରଣ କରୁଛି ବୋଲି ସେ କହିଥିଲେ । ଭଗବାନ ରାମ କେବେ ବିଜେପିର, କେବେ କଂଗ୍ରେସ ହୋଇଗଲେ ବୋଲି ରମଣ କହିଥିଲେ । ସେ କହିଥିଲେ କି କଂଗ୍ରେସ ରାମଙ୍କ ଅସ୍ତିତ୍ବ ଉପରେ ଦିନେ ପ୍ରଶ୍ନ ଉଠାଇଥିଲା ।

ଐତିହାସକାରମାନଙ୍କ କହିବା ମୁତାବକ ପ୍ରଭୁ ଶ୍ରୀ ରାମଙ୍କୁ 14 ବର୍ଷ ବନବାସ ହୋଇଥିଲା । ଏହି ବନବାସ କାଟିବା ପାଇଁ ସେ ଦଣ୍ଡକାରଣ୍ୟ ଗସ୍ତ କରିଥିଲେ। ସେତେବେଳର ଦଣ୍ଡକ ବନ ବର୍ତ୍ତମାନର ବସ୍ତର ଅଞ୍ଚଳରେ ରହିଛି ବୋଲି ଐତିହାସକାରମାନେ କହିଛନ୍ତି । ଏହି ତଥ୍ୟ ବାଲ୍ମିକୀ ରାମାୟଣରୁ ଜଣାପଡ଼େ ବୋଲି ସେମାନେ କହିଛନ୍ତି । ଏହି 14 ବର୍ଷର ବନବାସ ସମୟରେ ପ୍ରଭୁ ଶ୍ରୀ ରାମ, ମାତା ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହିତ ଅନେକ ସହର, ଗାଁ ଗସ୍ତ କରିଥିବା ଏହି ରାମାୟଣରୁ ଜଣାପଡ଼େ ବୋଲି ଐତିହାସକାର ମାନେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details