ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟ ତଥା ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହଙ୍କ ଦେହାନ୍ତ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ପ୍ରାୟ 6 ମାସରୁ ସିଙ୍ଗାପୁରରେ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି ।
ଅମର ସିଂହ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । 2010 ଜାନୁୟାରୀ 6 ରେ ସେ ସମାଜବାଦୀ ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳର ମୁଖ୍ୟ ମୁଲାୟମ ସିଂହ ଯାଦବ ତାଙ୍କୁ ଫେବୃଆରୀ 2ରେ ଦଳରୁ ବହିଷ୍କାର କରିଥିଲେ । ସେ 2011 ରେ କିଛି ସମୟ ପାଇଁ ନ୍ୟାୟିକ ହେପାଜତରେ ମଧ୍ୟ ରହିଥିଲେ। ଏହାପରେ ସେ ରାଜନୀତିରୁ ଅବସର ନେଇଥିଲେ । ପରିବାରକୁ ଅଧିକ ସମୟ ଦେବାକୁ ଚାହୁଁଥିବାରୁ ସେ ରାଜନୀତିରୁ ଅବସର ନେଇଥିବା କହିଥିଲେ । ତେବେ 2016 ମସିହାରେ ସେ ସମାଜବାଦୀ ପାର୍ଟିରେ ପୁଣି ଥରେ ଏଣ୍ଟ୍ରି କରିଥିଲେ । 2016 ରେ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମେତ ଦଳର କେତେକ ସଦସ୍ୟଙ୍କ କଡ଼ା ବିରୋଧ ସତ୍ତ୍ବେ ସେ ସମାଜବାଦୀ ପାର୍ଟି ପକ୍ଷରୁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ । ତାଙ୍କୁ ଅକ୍ଟୋବର 2016 ରେ ଦଳର ସାଧାରଣ ସମ୍ପାଦକ ଭାବରେ ପୁନଃନିଯୁକ୍ତି ମିଳିଥିଲା ।
ରାଜନୈତିକ ଯାତ୍ରା
କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଆମେରିକା ସହିତ ପ୍ରସ୍ତାବିତ ଆଣବିକ ଚୁକ୍ତି ଉପରେ ସମର୍ଥନ ପ୍ରତ୍ୟାହାର କରିବା ପରେ ୟୁପିଏ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା । ଏହି ସମୟରେ ଦିଲ୍ଲୀରେ ସିଂହଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସମାଜବାଦୀ ପାର୍ଟିର 39 ସଦସ୍ୟଙ୍କ ସହଯୋଗରେ ସିଂହ ୟୁପିଏ ସରକାରଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।