ଓଡିଶା

odisha

ETV Bharat / bharat

ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ହିଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ । ଅଧିକ ପଢନ୍ତୁ...

By

Published : Sep 14, 2020, 7:21 AM IST

ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ
ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ:ଆଜି(ସୋମବାର)ଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସକାଳ 9ଟାରୁ ଆରମ୍ଭ ହେବ ଅଧିବେଶନ । ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ତେବେ ପ୍ରଥମ ଦିନରେ ହିଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ ।

ଆଜି ସକାଳ 9ଟାରେ ସଂସଦ ଆରମ୍ଭ ହେବାକୁ ଥିବାବେଳେ ଉଭୟ ଗୃହକୁ ରାଷ୍ଟ୍ରପତି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ । ଚଳିତ ଥର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀ ଦଳ ପକ୍ଷରୁ ଆରଜେଡି ସାଂସଦ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି । ତେବେ ସଂଖ୍ୟା ଗଣିତ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଜିତିପାରନ୍ତି ବୋଲି କୁହାଯାଉଛି ।

245 ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ 233 ଜଣ ନିର୍ବାଚିତ ସଦସ୍ୟ ରହିଛନ୍ତି । 12 ଜଣ ମନୋନୀତ ସଦସ୍ୟ ଅଛନ୍ତି । ସେଥିରୁ ଏନଡିଏର 116 ସଦସ୍ୟ ଅଛନ୍ତି । ଯେଉଁଥିରେ ବିଜେପିର 86 ରହିଛନ୍ତି । ସେହିପରି ୟୁପିଏର 60 ଓ ଅନ୍ୟ ବିରୋଧୀ ଦଳଙ୍କ ପାଖରେ 67 ଜଣ ସାଂସଦ ଅଛନ୍ତି ।

ଏନଡିଏ ପ୍ରାର୍ଥୀଙ୍କୁ ଅନ୍ୟ ବିରୋଧୀ ଦଳ ମଧ୍ୟ ସମର୍ଥନ କରିବେ ବୋଲି ସୂଚନା ମିଳିଥିବାରୁ ଏନଡିଏ ପ୍ରାର୍ଥୀ ଜିତି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି, ଏଆଇଏଡିଏମକେ, ୱାଇଏସଆରସିପି ଓ ଟିଆରଏସର ସମର୍ଥନ ମିଳିପାରେ ବୋଲି କୁହାଯାଉଛି । ରାଜ୍ୟସଭାରେ ବିଜେଡିର 9 ସାଂସଦ ରହିଥିବାବେଳେ ଏଆଇଏଡିଏମକେର 8, ୱାଇଏସଆରସିପିର 6 ଓ ଟିଆରଏସର 7 ସାଂସଦ ରହିଛନ୍ତି ।

ପୂର୍ବରୁ 2018 ମସିହାରେ ସାଂସଦ ହରିବଂଶ ନାରାୟଣ ସିଂହ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହେବା ପରେ ଉପାଧ୍ୟକ୍ଷ ପଦ ଖାଲି ପଡିଥିଲା । ତେବେ ପ୍ରତିଥର ଅଧିବେଶନ ପୂର୍ବରୁ ଯେଉଁ ସର୍ବଦଳୀୟ ବୈଠକ ହୁଏ, ତାହା ଚଳିତ ଥର ହୋଇନାହିଁ । ସେହିପରି ଚଳିତଥର ଗୃହରେ ପ୍ରଶ୍ନକାଳ ମଧ୍ୟ ହେବ ନାହିଁ । କୋରୋନା କଟକଣା ମଧ୍ୟରେ ସଂସଦ ଚାଲିବ । ରାଜ୍ୟସଭା ଅଧିବେଶନ ସମୟରେ ଉଭୟ ଗୃହରେ ରାଜ୍ୟସଭା ସାଂସଦ ବସିବେ । ସେହିପରି ଲୋକସଭା ଅଧିବେଶନ ସମୟରେ ମଧ୍ୟ ଉଭୟ ଗୃହରେ ସାଂସଦ ବସିବାର କାର୍ଯ୍ୟକ୍ରମ ରହିଛି । ସାମାଜିକ ଦୂରତା ରକ୍ଷା କରି ଅଧିବେଶନ କରାଯିବ । ଯେଉଁଥିପାଇଁ ଅଧିବେଶନ ପୂର୍ବରୁ ସାଂସଦ ଓ କର୍ମଚାରୀଙ୍କ ସମେତ 4 ହଜାରରୁ ଅଧିକ କୋରୋନା ଟେଷ୍ଟ କରାଯାଇଛି ।

18 ଦିନ ଚାଲିବାକୁ ଥିବା ଏହି ଅଧିବେଶନରେ 47ଟି ବିଲ ଆଗତ ହେବାକୁ ରହିଥିବା ସୂଚନା ମିଳିଛି । ଚଳିତ ଥର ଆଜି ଦିନକୁ ଛାଡି ଅନ୍ୟ ଦିନ ଗୁଡିକରେ ସକାଳ 9ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ଅପରାହ୍ନ 3ଟାରୁ ରାତି 7ଟା ଯାଏ ଲୋକସଭା ଅଧିବେଶନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details