ନୂଆଦିଲ୍ଲୀ: ସଂସଦର ଉଭୟ ସଦନରେ ଆଜି କାଶ୍ମୀର ଓ ଟ୍ରମ୍ପ ତାତି ଦେଖିବାକୁ ମିଳିଛି । କାଶ୍ମୀର ସମସ୍ୟାରେ ମଧ୍ୟସ୍ଥି ନେଇ ଟ୍ରମ୍ପଙ୍କ ବୟାନକୁ ବିରୋଧୀ ପ୍ରତିବାଦ କରିଛନ୍ତି । ଏହାସହ ଏହି ଘଟଣାରେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ରାଜ୍ୟସଭାରେ ଏକ ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ।
ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ମୋଦି ଏପରି କୌଣସି ପ୍ରସ୍ତାବ ଦେଇନାହାନ୍ତି ବୋଲି ସେ ରାଜ୍ୟସଭାରେ ବିବୃତି ରଖିଛନ୍ତି । ତେବେ ତାଙ୍କର ସ୍ପଷ୍ଟୀକରଣ ସତ୍ତ୍ବେ ବିରୋଧୀ ହଟ୍ଟଗୋଳ ଜାରି ରଖିଥିଲେ । ସେମାନେ ବୈଦେଶିକ ମନ୍ତବ୍ୟକୁ ବିରୋଧ କରିଥିଲେ । ଏହାକୁ ଲକ୍ଷ୍ୟ କରି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସଦସ୍ୟଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।