ନୂଆଦିଲ୍ଲୀ: ରାଜ୍ୟସଭାରେ ଚଳିତ ବର୍ଷ 69 ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି 69ଜଣଙ୍କ ମଧ୍ୟରେ 18 ସଦସ୍ୟ ବିଜେପିର ଥିବାବେଳେ 17 ସଦସ୍ୟ କଂଗ୍ରେସର ଅଛନ୍ତି । ଏହାସହ ପୂର୍ବରୁ 4ସିଟ ଖାଲି ପଡିଛି । ଅର୍ଥାତ ମୋଟ ଉପରେ 73 ସିଟରେ ଚଳିତ ବର୍ଷ ନିର୍ବାଚନ ହେବ । ସେହି ଦୃଷ୍ଟିରୁ ରାଜ୍ୟସଭା ନିର୍ବାଚନର ବେଶ ଗୁରୁତ୍ବ ବଢିଯାଇଛି ।
ରାଜ୍ୟସଭା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ 2020ରେ କେବଳ ୟୁପିରେ 10ଟି ସିଟରେ ନିର୍ବାଚନ ହେବ । ରାଜ୍ୟରେ ବିଜେପି ସରକାର ଅଛି । ତେଣୁ ଅଧିକ ସିଟ ବିଜେପି ଖାତାକୁ ଯିବା ସ୍ପଷ୍ଟ । ୟୁପିରେ ବେଶି କ୍ଷତି ସହିବ ସମାଜବାଦୀ ପାର୍ଟି ।
ରାଜ୍ୟ ଗୁଡିକର ଗଣିତ ବିଜେପି ବିପକ୍ଷରେ
ବର୍ତ୍ତମାନ ସ୍ଥିତିରେ କେନ୍ଦ୍ରରେ ଶାସକ ବିଜେପି ପାଇଁ ରାଜ୍ୟସଭା ନିର୍ବାଚନ ଆଶା ଜନକ ହେବ ନାହିଁ । ଏତେ ସଂଖ୍ୟକ ସିଟ ଖାଲି ହେଉଥିଲେ ମଧ୍ୟ ବିଜେପି ରାଜ୍ୟସଭାରେ ବହୁମତ ହାସଲ କରିପାରିବ ନାହିଁ । ନିକଟ ଭବିଷ୍ୟତରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ହିଁ ଏହାର କାରଣ । ଏହି ଦୃଷ୍ଟିରୁ ବିଜେପି ଯେଉଁ ଆଶା ରଖିଥିଲା ରାଜ୍ୟସଭାରେ ବହୁମତ ହାସଲ କରିବା ପାଇଁ ତାହା ଏବେ ପୂରଣ ହୋଇପାରିବ ନାହିଁ । ଅନ୍ୟପଟେ କଂଗ୍ରେସ ପାଇଁ ରାଜ୍ୟସଭାରେ ଚଳିତ ବର୍ଷ ବେଶ ଉତ୍ସାହ ଜନକ ହୋଇପାରେ । କାରଣ କଂଗ୍ରେସ ଓ କଂଗ୍ରେସର ସହଯୋଗୀ ଦଳ ଏଥର ରାଜ୍ୟସଭାରେ ନିଜ ସଦସ୍ୟ ସଂଖ୍ୟା ବଢାଇବାରେ ସକ୍ଷମ ହେବେ । 2018 ଓ 2019ରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଏବେ ରାଜ୍ୟସଭାରେ ପଡିବ ।
245 ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ କଂଗ୍ରେସ ଓ କଂଗ୍ରେସର ସହଯୋଗୀ ଦଳ ଗୁଡିକର ସଦସ୍ୟ ସଂଖ୍ୟାରେ ବୃଦ୍ଧିପାଇବ । ବର୍ତ୍ତମାନ ବିଜେପିର ନିଜସ୍ବ ସଦସ୍ୟ ସଂଖ୍ୟା 83 ଥିବାବେଳେ କଂଗ୍ରେସର 46 ଅଛନ୍ତି । ଏହି 73 ସିଟରେ ନିର୍ବାଚନ ହେଲେ ମଧ୍ୟ ବିଜେପିର ସଂଖ୍ୟା ବୃଦ୍ଧି ପାଇବ ସତ ହେଲେ ଦଳ ବହୁମତ ଠାରୁ ଦୂରରେ ରହିବ । ଏହି ବର୍ଷ ରାଜ୍ୟସଭାର ଅନେକ ବରିଷ୍ଠ ନେତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ରାମଦାସ ଅଠାବଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଭଳି ନେତା ଅଛନ୍ତି । କଂଗ୍ରେସରୁ ଦିଗବିଜୟ ସିଂ, ଏନସିପି ପ୍ରମୁଖ ଶରଦ ପାୱାରଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ ।