ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ପ୍ରକୃତ ନିୟନ୍ତ୍ରଣ ରେଖାର ପରିସ୍ଥିତି ଏବଂ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ତିନିସେନା ପ୍ରମୁଖଙ୍କ ସହ ଆଲୋଚନା କଲେ ରାଜନାଥ ସିଂ - ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି।
ଚୀନ ସହ ସୀମା ବିବାଦ ମଧ୍ୟରେ ଏଲଏଏସିର ପରିସ୍ଥିତି ଏବଂ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଅତ୍ୟନ୍ତ ସତର୍କ ଅଛନ୍ତି। ଦୁଇ ଦିନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ନୌସେନାର ପ୍ରଶଂସା କରିଥିଲେ। ସେ କହିଥିଲେ, ନୌସେନାର ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ରହିଛି। ଭାରତୀୟ ନୌସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସକ୍ଷମ ବୋଲି ରାଜନାଥ ସିଂ କହିଥିଲେ । ଶୀର୍ଷ ନୌସେନା କମାଣ୍ଡରଙ୍କ ତିନି ଦିନିଆ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ରାଜନାଥ ସିଂ ଏଭଳି କହିଥିଲେ । ସେ କହିଥିଲେ, ପ୍ରମୁଖ ତଥା ସମ୍ବେଦନଶୀଳ ସ୍ଥାନରେ ଜାହାଜ ଏବଂ ବିମାନ ନିୟୋଜିତ କରି ସାମୁଦ୍ରିକ ସ୍ବାର୍ଥ ରକ୍ଷା ପାଇଁ ଭାରତୀୟ ନୌସେନା ମିଶନ ଆଧାରିତ ନିୟୋଜିତ ପ୍ରକ୍ରିୟା ସଫଳତାର ସହ ପୁରା କରିଛି।
ସୂଚନାଯୋଗ୍ୟ ଯେ, ସୀମା ବିବାଦ ପରେ ଭାରତୀୟ ନୌସେନା ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେବା ପାଇଁ ଭାରତୀୟ ମହାସାଗର ଅଞ୍ଚଳର ଅଗ୍ରିମ ପୋଷ୍ଟରେ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ନିୟୋଜିତ କରିଛି।