ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି । ଏହି ବାର୍ତ୍ତାଳାପରେ ଉଭୟ ନେତା ଭାରତ ଏବଂ ଇସ୍ରାଏଲ୍ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏନେଇ ପ୍ରତିରକ୍ଷାମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ତେବେ ଉଭୟ ନେତା ମହାମାରୀ କୋରୋନା ଭାଇରସକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ପାରସ୍ପରିକ ସହଯୋଗ ମାଧ୍ୟମରେ ଏହି ମହାମାରୀ ବିରୋଧରେ କିପରି ଲଢେଇ କରିବେ ସେନେଇ ଆଲୋଚନା କରିଥିବା ରାଜନାଥ ସିଂହ ସୂଚନା ଦେଇଛନ୍ତି ।
ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଜରୁରୀ ଆର୍ଥିକ କ୍ଷମତା ଅଧୀନରେ ଭାରତ ଇସ୍ରାଏଲରୁ ସର୍ଭିଲାନ୍ସ ଡ୍ରୋନ୍ ଏବଂ ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡ୍ ମିସାଇଲ୍ କ୍ରୟ କରି ନିଜର କ୍ଷମତା ଏବଂ ଶକ୍ତି ବୃଦ୍ଧି କରିବାକୁ ବିଚାର କରୁଥିବା ଗତକାଲି ଜଣାପଡିଥିଲା । ତେବେ ଏହାର ଦିନକ ପରେ ରାଜନାଥ ସିଂହ ଏବଂ ଗାଣ୍ଟଜଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ହୋଇଛି ।
ବର୍ତ୍ତମାନର ସ୍ଥିତିରେ ଭାରତର ପୂର୍ବ ଲଦାଖ ସୀମାରେ ଇସ୍ରାଏଲ୍ (ହେରୋନ) ଡ୍ରୋନ୍ର ବ୍ୟବହାର କରୁଛି । ଏହି ଡ୍ରୋନ୍ଟି ଏକ ଅସ୍ତ୍ରରହିତ ଡ୍ରୋନ୍, ସୀମାରେ କେବଳ ନଜର ରଖିବା ପାଇଁ ବ୍ୟବହାର ହେଉଛି । ଅନ୍ୟପକ୍ଷରେ, ସେନା ଅଧିକ ସ୍ପାଇକ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ର ପାଇଁ କ୍ରୟ କରିବାକୁ ଯୋଜନା କରୁଛି ।