ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା କ୍ଷମତା ଯୁଦ୍ଧ ଭିତରେ ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ଅନୁମତି ଦେଉନଥିବାରୁ ଆଜି ଦେଶର ସମସ୍ତ ରାଜଭବନ ସାମ୍ନାରେ ବିକ୍ଷୋଭ କରିବ କଂଗ୍ରେସ । ଏନେଇ ଜୁଲାଇ 25 ତାରିଖରେ ଟ୍ବିଟ୍ କରି ସୂଚନା ଦେଇଥିଲେ ବରିଷ୍ଠ ନେତା ତଥା କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଥିବାବେଳେ ରାଜ୍ୟପାଳ ଅନୁମତି ଦେଉନାହାଁନ୍ତି । ଯାହାକୁ ନେଇ ଅଶୋକଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ରାଜସ୍ଥାନର ରାଜଭବନରେ ଧାରଣା ଦେଇଥିଲେ । ତେବେ ରାଜ୍ୟପାଳ ଶୁଣୁନଥିବାରୁ କଂଗ୍ରେସ ଏହାକୁ ଦେଶବ୍ୟାପୀ ଆନ୍ଦୋଳନର ରୂପ ଦେବାକୁ ଯାଉଛି । ଯେଉଁଥିଲାଗି ଆଜି ସମସ୍ତ ରାଜଭବନ ସାମ୍ନାରେ ପିସିସି ପକ୍ଷରୁ ବିକ୍ଷୋଭ କରିବାକୁ କୁହାଯାଇଛି ।
ସୂଚନାଥାଉକି, ରାଜସ୍ଥାନର କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।