ଜୟପୁର: ଆଜି କିଛି ବଡ ଘୋଷଣା କରିପାରନ୍ତି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟଙ୍କୁ ବିଦା କରିବା ପରେ ଆଜି 10ଟାରେ ସେ ପ୍ରେସମିଟ୍ ରଖିଛନ୍ତି । ଯେଉଁଥିରେ ସେ ନିଜର ପକ୍ଷ ରଖିବେ ବୋଲି କୁହାଯାଉଛି ।
ଏଥିରେ ସେ କଂଗ୍ରେସରେ ରହିବେ ନା ବିଜେପିରେ ଯୋଗଦେବେ କି ସ୍ବତନ୍ତ୍ର ଦଳ ଗଠନ କରିବେ ସେନେଇ କିଛି ଘୋଷଣା କହିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ଦୁଇଟି ପଦରୁ କଂଗ୍ରେସ ବିଦା କରିବା ପରେ ଏହା ତାଙ୍କର ପ୍ରଥମ ପ୍ରେସମିଟ୍ ହେବ ।
ମଙ୍ଗଳବାର ପ୍ରଥମେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରିଥିଲା ଦଳ । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଥିଲା । ସେହିପରି ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ନୂଆ ପିସିସି ସଭାପତି ଦାୟିତ୍ବ ଦେଇଛି ଦଳ ।
ବିଧାୟକ ଦଳ ବୈଠକରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା କଂଗ୍ରେସ । ସେପଟେ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିବା ପରେ ସତ୍ୟକୁ ବିଚଳିତ କରାଯାଇପାରେ ପରାଜିତକୁ ନୁହେଁ ବୋଲି ଟ୍ବିଟ୍ କରି ଜଣାଇଥିଲେ ସଚିନ ।
ସେହିପରି ସଚିନଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ କିଛି ଜିଲ୍ଲା ସଭାପତି ମଧ୍ୟ ନିଜର ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ତେବେ ଅଶୋକ ଗେହଲଟ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ଏହି ସମୟରେ ତାଙ୍କୁ ବୁଝାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳୁଛି ।