ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ଆଜି ଜୟପୁରରେ ଉଭୟ ବିଜେପି ଓ କଂଗ୍ରେସର ବୈଠକ - ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ

ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗେହଲଟ୍‌ ଓ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ମଧ୍ୟରେ ଆଜି ଜୟପୁରରେ ଉଭୟ କଂଗ୍ରେସ ଓ ବିଜେପି ଦଳର ବୈଠକ ବସୁଛି । କଂଗ୍ରେସ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଆଜି ପୁଣି ବୈଠକ ଡକାଇଥିବାବେଳେ ବିଜେପି, କଂଗ୍ରେସର ଛକାପଞ୍ଝା ଭିତରେ ନିଜର ଗୋଟି ଚଳାଇବାକୁ ଯୋଜନା ଚଳାଇଛି ।

ରାଜସ୍ଥାନ ରାଜନୀତି ରଣ: ଆଜି ଜୟପୁରରେ ଉଭୟ ବିଜେପି ଓ କଂଗ୍ରେସର ବୈଠକ
ରାଜସ୍ଥାନ ରାଜନୀତି ରଣ: ଆଜି ଜୟପୁରରେ ଉଭୟ ବିଜେପି ଓ କଂଗ୍ରେସର ବୈଠକ

By

Published : Jul 16, 2020, 7:59 AM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗେହଲଟ୍‌ ଓ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ମଧ୍ୟରେ ଆଜି ଜୟପୁରରେ ଉଭୟ କଂଗ୍ରେସ ଓ ବିଜେପି ଦଳର ବୈଠକ ବସୁଛି । କଂଗ୍ରେସ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଆଜି ପୁଣି ବୈଠକ ଡକାଇଥିବାବେଳେ ବିଜେପି, କଂଗ୍ରେସର ଛକାପଞ୍ଝା ଭିତରେ ନିଜର ଗୋଟି ଚଳାଇବାକୁ ଯୋଜନା ଚଳାଇଛି ।

ବିଜେପି ଆଜି ଜୟପୁରରେ ନିଜର ବିଧାୟକ ଦଳ ବୈଠକ ଡାକି ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବ ବୋଲି ସୂଚନା ମିଳିଛି । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଯୋଗଦେବେ ବୋଲି ଜଣାପଡିଛି ।

ରାଜସ୍ଥାନ ରାଜନୀତି ରଣରେ ଦିନକୁ ଦିନ ଦେଖିବାକୁ ମିଳୁଛି ନୂଆ ଅସ୍ତ୍ର । କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେଇନଥିବାରୁ ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ବାଚସ୍ପତି ନୋଟିସ ପଠାଇଛନ୍ତି । ସେପଟେ ବିଜେପିରେ ଯୋଗଦେବାକୁ ଅଗ୍ରାହ୍ୟ କରି ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଚର୍ଚ୍ଚାରେ ରଖିଛନ୍ତି ସଚିନ ।

ସଚିନଙ୍କୁ ମନାଇବା ପାଇଁ କଂଗ୍ରେସ ବି ଚେଷ୍ଟା ଜାରି ରଖିଛି । ସଚିନ ଦଳର ସଦସ୍ୟ ଅଛନ୍ତି । ତାଙ୍କ ପାଇଁ କଂଗ୍ରେସ ଦ୍ବାର ସବୁବେଳେ ଖୋଲାଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ମଧ୍ୟ ସଚିନଙ୍କ ବିରୋଧରେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ । ଗେହେଲଟ ସଚିନଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ରଖିଛନ୍ତି ସେଥିରେ ରାହୁଲ ଗାନ୍ଧୀ ଅସନ୍ତୋଷ ଜାହିର କରିଛନ୍ତି ।

ରାହୁଲ ଗାନ୍ଧୀ ଚାହୁଁଛନ୍ତି ବର୍ତ୍ତମାନ ସଚିନଙ୍କ ବିରୋଧରେ କୌଣସି ଅପମାନ ଆପତ୍ତିଜନକ ମନ୍ତବ୍ୟ ନଦେଇ ତାଙ୍କୁ ସମ୍ମାନର ସହ ଦଳକୁ ଫେରାଇ ଆଣିବାକୁ । ଅନ୍ୟପଟେ ସଚିନ ଯେତେବେଳେ ତାଙ୍କ ସହ କଥା ହେବାପାଇଁ ଚାହିଁବେ ସେ କଥା ହେଇପାରିବେ ବୋଲି ରାହୁଲ ସଚିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଫଳରେ ସଚିନଙ୍କୁ ମନାଇବା ପାଇଁ ଆଜି ପୁଣି ରାଜ୍ୟରେ କଂଗ୍ରେସର ବୈଠକ ବସିବ ବୋଲି ଶୁଣିବାକୁ ମିଳିଛି । ଯେଉଁଥିରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଯୋଗଦେବେ ବୋଲି କୁହାଯାଇଛି ।

କଂଗ୍ରେସରେ ଦେଖାଦେଇଥିବା ଏହି କ୍ଷମତା ଯୁଦ୍ଧ ଭିତରେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇ ଦିଆଯାଇଛି । ତାଙ୍କ ସହିତ ଆଉ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଛି । ଫଳରେ ସଚିନ କଂଗ୍ରେସରେ ରହିବେ କି କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ କିମ୍ବା ଅନ୍ୟ ଦଳ ଗଢିବେ ସେନେଇ ରାଜସ୍ଥାନ ରାଜନୀତିରେ ଉତ୍ସୁକତା ପ୍ରକାଶ ପାଇଛି ।

ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯିବା ପରେ ଅନେକ ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଥାଉକି, ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details