ଜୟପୁର: ରାଜସ୍ଥାନ ପାଇଁ ମୁଣ୍ଡବିନ୍ଧା ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ମର୍କାଜ ସମାବେଶ । ଏଠାରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରୁ 12 ଜଣ ପଜିଟିଭ ବାହାରିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 120 ଛୁଇଁଛି ।
ପୂର୍ବରୁ ବୁଧବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଏହି ସଂଖ୍ୟା 108 ଥିଲା । ତେବେ ଆଉ 12 ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ସହ ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ମଧ୍ୟରେ ଚୁରୁରେ ସର୍ବାଧିକ 7, ଟୋଙ୍କରେ 4 ଓ ଅଲୱାରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଦିଲ୍ଲୀ ମର୍କାଜର ତବଲିଘି ଧାର୍ମିକ ସମାବେଶରେ ଯୋଗ ଦେଇଥିବା ରାଜସ୍ଥାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।