ଜୟପୁର: ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ପରେ ଏବେ ରାଜସ୍ଥାନରେ ପଦ୍ମ ଫୁଟାଇବାକୁ ଚାହୁଁଛି ବିଜେପି । ଦଳ ରାଜସ୍ଥାନର କଂଗ୍ରେସ ସରକାର ଭାଙ୍ଗିବାର ଷଡଯନ୍ତ୍ର ଚରୁଛି ଦଳ । ରାଜସ୍ଥାନ କଂଗ୍ରେସର ପ୍ରାୟ 24 ଜଣ ବିଧାୟକ ବିଜେପି ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ବିଜେପି ରାଜ୍ୟରେ ଅଶୋକ ଗେହଲଟଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର ରଚୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ସେପଟେ ଏହି ଅଭିଯୋଗ ଉପରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
କାହାର ନାମ ନନେଇ କଂଗ୍ରେସ ବିଧାୟକମାନେ ମିଳିତ ବିବୃତ୍ତିରେ ଅଭିଯୋଗ କରିଛନ୍ତି, ବିଜେପି ନେତୃତ୍ୱ କଂଗ୍ରେସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି । ପାର୍ଟି ବିଧାୟକମାନଙ୍କୁ ବିଭିନ୍ନ ଆଚରଣରେ ଯୋଗାଯୋଗ କରି ସେମାନଙ୍କୁ ପ୍ରଲୋଭିତ କରୁଛି । ତେବେ ଗେହଲଟ ସରକାରଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନେ ଏହି ଉଦ୍ୟମକୁ ସଫଳ ହେବାକୁ ଦେବେ ନାହିଁ ବୋଲି ସେମାନେ କହିଛନ୍ତି । କଂଗ୍ରେସ ବିଧାୟକମାନେ ଶୁକ୍ରବାର ମଧ୍ୟ ରାତ୍ରିରେ ସଂଯୁକ୍ତ ବୟାନ ଜାରି କରି ଏଭଳି ଅଭିଯୋଗ କରିଛନ୍ତି । ବିଧାୟକଙ୍କ ପକ୍ଷରୁ ଜାରି ଏହି ବୟାନରେ ବିଧାନସଭାରେ ମୁଖ୍ୟ ସଚେତକ ଡ. ମହେଶ ଜୋଶୀ ଏବଂ ଉପ ମୁଖ୍ୟ ସଚେତକ ମହେନ୍ଦ୍ର ଚୌଝୁରୀଙ୍କ ହସ୍ତାକ୍ଷର ମଧ୍ୟ ରହିଛି ।
ଗତ ମାସରେ ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସ ତଥା ସମର୍ଥକ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରାଯାଇଥିଲା । ଯାହା ସଫଳ ହୋଇପାରିନଥିଲା । ବର୍ତ୍ତମାନ ମଧ୍ୟ ବିଜେପି ରାଜସ୍ଥାନରେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରକୁ ଦୁର୍ବଳ କରିବା ପାଇଁ ପୁଣି ଥରେ ଷଡଯନ୍ତ୍ର କରୁଛି ବୋଲି ବିଧାୟକମାନେ ଅଭିଯୋଗ କରିଛନ୍ତି । ବିଜେପି ପକ୍ଷରୁ କରାଯାଉଥିବା ଏଭଳି ଉଦ୍ୟମକୁ ସେମାନେ ଅଗଣତାନ୍ତ୍ରିକ ଆଚରଣ ବୋଲି କହିଛନ୍ତି । କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଆମ ପାଖରେ ସ୍ପଷ୍ଟ ସୂଚନା ରହିଛି ଯେ ବିଜେପିର ଶୀର୍ଷ ନେତୃତ୍ବ ଗେହଲଟ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଷଡଯନ୍ତ୍ରକାରୀ କଂଗ୍ରେସ ବିଧାୟକ ଏବଂ ସମର୍ଥକ ବିଧାୟକଙ୍କ ସହ ସମ୍ପର୍କ କରି ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ।