ରାୟପୁର: ଦେଶରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି 21 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଲକଡାଉନ ଯୋଗୁଁ ଗାଡିମଟର ଠୁ ନେଇ ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ଏପରି ଲାଗୁଛି ଯେମିତି ଦେଶ ଗୋଟିଏ ଜାଗାରେ ହିଁ ଅଟକି ଯାଇଛି । ସମସ୍ତେ ନିଜ ନିଜ ଘରେ ବନ୍ଦୀ ଅଛନ୍ତି । ଲୋକଙ୍କ ଜୀବନ ଉପରେ ବି ପଡିଛି ଏହି ଲକଡାଉନର ପ୍ରଭାବ । ଛତିଶଗଡର ରାଜଧାନୀ ରାୟପୁରର ଉପ ଜିଲ୍ଲାପାଳ ଶୀତଲ ବଂସଲ କୋରୋନା ମହାମାରୀକୁ ନେଇ ନିଜ ବିବାହ ତାରିଖ ଘୁଞ୍ଚାଇବାର ନିଷ୍ପତ୍ତି ନେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ଉପ ଜିଲ୍ଲାପାଳ ଶୀତଲ ବଂସଲ ଓ ଭାରତୀୟ ବୈଦେଶୀକ ସେବାଧିକାରୀ ଆୟୁସ ଗୁରୁବାର ତଥା ଆଜି ବିବାହର ବନ୍ଧନରେ ବାନ୍ଧିହେବାକୁ ଯାଉଥିଲେ । ବିବାହ ପାଇଁ ସବୁକିଛି ପ୍ରସ୍ତୁତି ସରିସାରିଥିଲା । କାର୍ଡ ବି ଛପା ସରିଥିଲା । ହେଲେ ଏବେ ଏହି ବାହାଘର ଘୁଞ୍ଚିଯାଇଛି । ଆଉ ଏହାର କାରଣ ହେଉଛି କୋରୋନା । ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ଫଳରେ ଏହି ବିବାହକୁ ଘୁଞ୍ଚାଇବାକୁ ପଡିଛି ।