ନୂଆଦିଲ୍ଲୀ: ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି । ଏହା ପୂର୍ବରୁ ମଙ୍ଗଳବାର ଗୁରୁଗ୍ରାମ, ନୋଏଡା ଓ ଦିଲ୍ଲୀରେ ହାଲୁକା ବର୍ଷା ହୋଇଥିଲା । ତେବେ ଆଜିର ଏହି ବର୍ଷା ପରେ ଥଣ୍ଡାର ପ୍ରକୋପ ଆହୁରି ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ସେହିଭଳି ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାରେ ଗତ 4 ଦିନ ଧରି ବରଫପାତ ସହ ହାଲୁକା ବର୍ଷା ମଧ୍ୟ ହୋଇଛି । ଯାହା ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଛି । ତେବେ ଶୀତରୁ ରକ୍ଷା ପାଇଁ କିଛି ସ୍ଥାନରେ ଲୋକେ ଏକତ୍ରିତ ହୋଇ ନିଆଁ ଜାଳୁଥିବାବେଳେ ଶୀତବସ୍ତ୍ର ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଜମ୍ମୁକଶ୍ମୀରରେ ବର୍ଷା ସହ ବରଫ ପାତ ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ପଶ୍ଚିମ ବାୟୁ ପୁଣିଥରେ ସକ୍ରିୟ ହୋଇଛି । ଯଦ୍ବାରା ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶର କେତେକ ଅଞ୍ଚଳ, ହରିୟାଣା, ପଞ୍ଜାବ, ହିମାଚଳପ୍ରଦେଶ ଓ ଜମ୍ମୁକଶ୍ମୀରରେ ଆସନ୍ତା 2 ରୁ 3 ଦିନ ମଧ୍ୟରେ ହାଲୁକାରୁ ଅତ୍ୟଧିକ ମାତ୍ରାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବର୍ଷା ପରେ ଉତ୍ତରଭାରତରେ ପ୍ରବଳ ଶୀତ ଅନୁଭୁତ ନେଇ ଆଲର୍ଟ କରାଯାଇଛି । ପାଣିପାଗ ବିଭାଗ ମୁତାବକ ଦିଲ୍ଲୀରେ 9 ରୁ 11 ଜାନୁଆରୀ ଭିତରେ ସର୍ବନିମ୍ନ ତାପମାତ୍ରା 3 ରୁ 4 ଡିଗ୍ରୀ ହ୍ରାସ ହୋଇପାରେ । ଗତ 4 ଦିନ ଧରି କାଶ୍ମୀରରେ ପ୍ରବଳ ବରଫପାତ ହେଉଛି । ଲଦାଖ ସହିତ କଶ୍ମୀର ଘାଟିରେ 2.6 ଇଞ୍ଚର ବରଫପାତ ହୋଇଛି । ଶ୍ରୀନଗରରେ ରାତିରେ ତାପମାତ୍ରା ଶୂନ ତଳକୁ ରହୁଛି ।