ନୂଆଦିଲ୍ଲୀ: କୋରୋନା ଯୋଗୁଁ ବନ୍ଦ ହୋଇଥିବା ଟ୍ରେନ ଏବେ ଧୀରେ ଧୀରେ ଟ୍ରାକକୁ ଫେରିବା ଆରମ୍ଭ କରୁଛି । ରେଲୱେ ସେପ୍ଟେମ୍ବର 12 ରୁ 80 ଟି ନୂତନ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯାଉଛି। ଏଗୁଡିକ ପାଇଁ ରିଜର୍ଭେସନ 10 ସେପ୍ଟେମ୍ବରରୁ ଆରମ୍ଭ ହେବ । ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶନିବାର ସୂଚନା ଦେଇଛନ୍ତି ।
ବର୍ତ୍ତମାନ ପ୍ରାୟ 230 ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ତେବେ ଏହି ଟ୍ରେନ ସମ୍ପର୍କରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ବିନୋଦ କୁମାର କହିଛନ୍ତି। ସେ କହିଛନ୍ତି, ସେପ୍ଟେମ୍ବର 12 ରୁ 80 ଟି ନୂଆ ସ୍ବତନ୍ତ୍ର ଟ୍ରେନ ଅର୍ଥାତ 40 ଯୋଡି ଟ୍ରେନ ଆରମ୍ଭ ହେବ । ଏଥିପାଇଁ ସେପ୍ଟେମ୍ବର 10ରୁ ରିଜର୍ଭେସନ ଆରମ୍ଭ ହେବ । ଏହି ଟ୍ରେନ ଗୁଡିକ ପୂର୍ବରୁ ଚାଲୁଥିବା 230 ଟ୍ରେନ ସହିତ ଚାଲିବ । ରେଲୱେ ବର୍ତ୍ତମାନ ଚାଲୁଥିବା ସମସ୍ତ ଟ୍ରେନ ଉପରେ ନଜର ରଖିବ ଏବଂ କେଉଁ ଟ୍ରେନରେ ୱେଟିଂ ଲିଷ୍ଟ ଅଧିକ ରହୁଛି ତାହା ତଦାରଖ କରିବ ବୋଲି ସେ କହିଛନ୍ତି ।