ଚେନ୍ନାଇ:ଚେନ୍ନାଇ ହେଉଛି ଭାରତୀୟ ରେଳର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆଇସିଏଫ୍ ଚେନ୍ନାଇ 44 ଟି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ରେକ୍ ପାଇଁ ଏକ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଥିଲା । ଯେଉଁଥିରେ କେବଳ ଚାଇନାର CRRC ଏକମାତ୍ର ବିଦେଶୀ କମ୍ପାନୀ ବିଡ ଦାଖଲ କରିଥିବା ବେଳେ ଏହି ଟେଣ୍ଡରକୁ ରଦ୍ଦ କରିଛନ୍ତି ଭାରତ ସରକାର । 'ମେକ୍ ଇନ୍ ଇଣ୍ଡିଆ'କୁ ପ୍ରାଥମିକତା ଦେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂଆ ଟେଣ୍ଡର ପ୍ରକାଶ ପାଇବ । ବର୍ତ୍ତମାନ ନୂତନ ଟେଣ୍ଡର ନିୟମ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି ।
ଏହି ଟେଣ୍ଡରକୁ ବାତିଲ କରିବାର ମୁଖ୍ୟ କାରଣ ଚାଇନିଜ କମ୍ପାନୀ ଛାଡିବା ଏବଂ ଆତ୍ମନିର୍ଭଶୀଳ ଭାରତର ଶୁଭାରମ୍ଭ କରିବା ବୋଲି କୁହାଯାଉଛି । ଟେଣ୍ଡରକୁ ବାତିଲ କରି ବର୍ତ୍ତମାନ ମେକ୍ ଇନ୍ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏହି ବଡ ଟେଣ୍ଡର ନବୀକରଣ ହେବ । ଏହାର ନିୟମ ମଧ୍ୟ ଏପରି ହେବ ଯେ କୌଣସି ଚାଇନିଜ୍ କମ୍ପାନୀ ଚାହିଁଲେ ବି ଟେଣ୍ଡର କରିପାରିବେ ନାହିଁ । ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସର 44 ଟି ନୂତନ ଟ୍ରେନ୍ ସେଟ୍ ନିର୍ମାଣ ପାଇଁ ଟେଣ୍ଡର ପାଇଁ ଏହି ନିୟମ ଲାଗୁ ହେବ । ବାତିଲ ହୋଇଥିବା ଟେଣ୍ଡରରେ କେବଳ ଗୋଟିଏ ବିଦେଶୀ କମ୍ପାନୀ ଅର୍ଥାତ ଚାଇନା ବିଡ୍ ଦାଖଲ କରିଥିଲା ବୋଲି ଜଣାପଡିଛି ।