ନୂଆଦିଲ୍ଲୀ: ଟ୍ରେନ ଚଳାଚଳ ମାମଲାରେ ମହାରାଷ୍ଟ୍ର ସରକାର ମିଥ୍ୟା ବୟାନ ଦେଇଥିବା ଅଭିଯୋଗ ଆଣିଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋୟଲ । ଏକ ଟ୍ବିଟରେ ସେ କହିଛନ୍ତି, 'ମହାରାଷ୍ଟ୍ର ସରକାର ଗୋଟିଏ ଦିନ ପୂର୍ବରୁ ଅଭିଯୋଗ କରିଛନ୍ତି ଯେ ସେମାନେ 80 ଗାଡି ଦାବି କରୁଥିବା ବେଳେ ସେମାନଙ୍କୁ କେବଳ 30-40 ମିଳୁଛି'।
ରେଳ ମନ୍ତ୍ରୀ କହିଛନ୍ତି, 'ମୁଁ ସେମାନଙ୍କୁ 125 ଟ୍ରେନ୍ ଅଫର୍ ଦେଲି ଏବଂ ଏବିଷୟରେ ସବିଶେଷ ତଥ୍ୟ ମାଗିଲି କିନ୍ତୁ ସେମାନେ ଆସନ୍ତାକାଲିର ଟ୍ରେନ୍ ପାଇଁ କୌଣସି ବିବରଣୀ ଦେଇପାରିଲେନାହିଁ । ସେ ଆମକୁ କେବଳ 41ଟି ଟ୍ରେନର ବିବରଣୀ ଦେଇଛନ୍ତି । ତେବେ ସେହି ଟ୍ରେନଗୁଡିକ ମଧ୍ୟ ଖାଲି ରହିଥିଲା ଏବଂ ସେଥିରେ ବିଶେଷ ଯାତ୍ରୀ ମଧ୍ୟ ନଥିଲେ । ବିଳମ୍ବିତ ରାତିରେ ସେ ଆମକୁ 145 ଟ୍ରେନର ଏକ ତାଲିକା ପଠାଇଥିଲେ ଯାହା ସଠିକ୍ ଭାବରେ ନଥିଲା ।
ରେଳମନ୍ତ୍ରୀ ପୀୟୁଷ ଗୋୟଲ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ରର ପ୍ରବାସୀ ଶ୍ରମିକମାନଙ୍କ ସଠିକ ଭାବେ ଯତ୍ନ ନିଆଯାଉନାହିଁ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଭୁଶୁଡିଯାଇଛି । ପ୍ରବାସୀ ଶ୍ରମିକଙ୍କ ଅବସ୍ଥାକୁ ନେଇ ଚିନ୍ତିତ ଥିବା ପ୍ରଧାନମନ୍ତ୍ରୀ ମୋଦି ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇବା ପାଇଁ 145 ଟ୍ରେନ୍ ବ୍ୟବସ୍ଥା କରିବାକୁ କହିଥିଲେ ।
ପ୍ରକାଶ ଥାଉ କି, ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ସଂକ୍ରମଣ ମାମଲା ଥିବା ବେଳେ ମୋଟ ସଂଖ୍ୟା 52667 ରେ ପହଞ୍ଚିଛି । ଏହି ଭୂତାଣୁରେ ରାଜ୍ୟର 1695 ଲୋକ ପ୍ରାଣ ହରାଇଥିବାବେଳେ ଚିକିତ୍ସା ପରେ 15 ହଜାର 786 ଲୋକ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ କୋରୋନାରେ 35186ଟି ମାମଲା ସକ୍ରିୟ ରହିଛି । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କୋରୋନା ମଧ୍ୟ ହଇଚଇ ସୃଷ୍ଟି କରିଛି । ଏଯାବତ୍ ମୁମ୍ବାଇରେ କୋରୋନା ମାମଲା 31 ହଜାରରୁ ଅଧିକ ରିପୋର୍ଟ ହୋଇଛି ।