ନୂଆଦିଲ୍ଲୀ: ଭିଭିଆଇପି ସେଲିବ୍ରିଟିଙ୍କ ଯିବାଆସିବା ପାଇଁ ବିମାନ କିଣିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରରେ ମୋଦି ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି । ରାହୁଲ ଗାନ୍ଧୀ ଟ୍ରକରେ ଯାତ୍ରା କରୁଥିବା ଯବାନଙ୍କ ଏକ ଭିଡିଓ ଜାରି କରି କହିଛନ୍ତି ଯେ ନନ୍ ବୁଲେଟ୍ ପ୍ରୁଫ୍ ଟ୍ରକରେ ଯବାନଙ୍କୁ ଶହୀଦ ହେବାକୁ ପଠାଯାଉଛି ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ 8400 କୋଟି ଟଙ୍କା ମୂଲ୍ୟର ବିମାନ କିଣାଯାଇଛି ।
କୃଷି ନିୟମ ବିରୁଦ୍ଧରେ ଚାଲିଥିବ ଆନ୍ଦୋଳନରେ ଯୋଗ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋଫା ପକା ଟ୍ରାକ୍ଟରରେ ବସିଥିଲେ, ଯାହାକୁ ନେଇ ପ୍ରଶ୍ନ ଉଠୁଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ନରେନ୍ଦ୍ର ମୋଦି 8000 କୋଟି ମୂଲ୍ୟର ଦୁଇଟି ବିମାନ କିଣିଛନ୍ତି, ଏଥିରେ ସମ୍ପୂର୍ଣ୍ଣ ଶଯ୍ୟା ଅଛି।
ଏହାପରେ ରାହୁଲ ଗାନ୍ଧୀଙ୍କ ଭିଭିଆଇପି ବିମାନ କିଣିବା ଅଭିଯୋଗରେ କେନ୍ଦ୍ର ସରକାର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର କହିଥିଲେ, ‘ଏହି ବିମାନ ଗୁଡିକୁ ଆଣିବାର ପ୍ରକ୍ରିୟା ପ୍ରାୟ 10 ବର୍ଷ ପୂର୍ବେ ୟୁପିଏ ଶାସନ କାଳରେ ଆରମ୍ଭ ହୋଇଥିଲା ଓ ଏନଡିଏ ସରକାର ଏହି ଚୁକ୍ତିକୁ ଏକ ଯୁକ୍ତିଯୁକ୍ତ ଭାବେ ସମାପ୍ତ କରିଛନ୍ତି ’। କେନ୍ଦ୍ର ସରକାରଙ୍କ ତରଫରୁ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାହୁଲ ଗାନ୍ଧୀ ଏହି ତଥ୍ୟକୁ ଅସ୍ବୀକାର କରିପାରିବେ ନାହିଁ। କେନ୍ଦ୍ର ସରକାର କହିଛନ୍ତି ଯେ ଏହି ବିମାନ ପ୍ରଧାନମନ୍ତ୍ରୀଙ୍କ ବିମାନ ନୁହେଁ, ଅନ୍ୟ ଭିଭିଆଇପି ମଧ୍ୟ ବ୍ୟବହାର କରିବେ। କେନ୍ଦ୍ର କହିଛି ଯେ ଏହି ବିମାନ ପ୍ରଧାନମନ୍ତ୍ରୀଙ୍କର ନୁହେଁ ବରଂ ଭାରତୀୟ ବାୟୁସେନାର ଅଟେ। ଏହି ବିମାନ କ୍ରୟ ପ୍ରକ୍ରିୟା 2011ରେ ଆରମ୍ଭ ହୋଇଥିଲା ।
ପ୍ରକାଶଥାଉକି, 3 ଅକ୍ଟୋବରରେ ଭାରତ ଆମେରିକାରୁ ଦୁଇଟି ବି-777 ବିମାନ ଗ୍ରହଣ କରିଥିଲା। ଟେକ୍ନୋଲୋଜି ଏବଂ ନିରାପତ୍ତା ଦୃଷ୍ଟିରୁ ଏହି ବିମାନ ଗୁଡିକ ଆମେରିକାର ରାଷ୍ଟ୍ରପତିଙ୍କ ବାୟୁସେନା ୱାନ ବିମାନ ପରି। ଏହି ବିମାନ ଗୁଡିକୁ କେବଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ବ୍ୟବହାର କରିପାରିବେ।