ନୂଆଦିଲ୍ଲୀ:ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେ କହିଛନ୍ତି, କେନ୍ଦ୍ରରେ ଥିବା ମୋଦି ସରକାର ବିପର୍ଯ୍ୟୟ ସମୟରେ ମଧ୍ୟ ଗରିବ ଲୋକଙ୍କଠାରୁ ଲାଭ ପାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି । ରାହୁଲ କହିଛନ୍ତି ଯେ ଦେଶରେ କୋରୋନାର କଳା ବାଦଲ ଘେରି ହୋଇ ରହିଥିବା ସତ୍ତ୍ବେ ଭାରତୀୟ ରେଳ ଲାଭବାନ ହୋଇଛି ।
ଏକ ରିପୋର୍ଟ ଟ୍ବିଟ୍ କରି ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଦେଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ କୋରୋନା ଯୁଗରେ ଭାରତୀୟ ରେଳ ବିଭାଗ ଶ୍ରମିକ ସ୍ବତନ୍ତ୍ର ଟ୍ରେନରୁ 428 କୋଟି ଟଙ୍କା ଆୟ କରିଛି । ମାର୍ଚ୍ଚ 25 ରେ ଯେତେବେଳେ କୋରୋନା ସଂକ୍ରମଣ ହେତୁ ଦେଶବ୍ୟାପୀ ଲକଡାଉନ୍ ହୋଇଥିଲା ସେତେବେଳେ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡିଶାର ଲକ୍ଷ ଲକ୍ଷ ଶ୍ରମିକ ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରାଟ, ଅହମ୍ମଦାବାଦ ଭଳି ସହରରେ ଫସି ରହିଥିଲେ । ଏହି ଶ୍ରମିକଙ୍କ ସୁବିଧା ପାଇଁ ଦେଶରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚାଲିଥିଲା ।