ହାଇଦ୍ରାବାଦ: ଆରପାରିରେ ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ । କୋରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ । ନିଜ ଫେସବୁକ ଆକାଉଣ୍ଟରେ କୋରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ ସେ । ଇନ୍ଦୋରୀଙ୍କୁ ମୃତ୍ୟୁ ବେଳକୁ 70 ବର୍ଷ ବୟସ ହୋଇଥିଲା ।
ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମଧୁମେହର ରୋଗୀ ଥିଲେ ଇନ୍ଦୋରୀ । ନିମୋନିଆ କାରଣରୁ ଫୁସଫୁସ ସଂକ୍ରମଣ ହୋଇଥିଲା । ଇନ୍ଦୋରୀଙ୍କ ପୁଅ ସତଲଜ ରାହତ କହିଛନ୍ତି ଯେ କୋଭିଡ-19 ହେତୁ ଇନ୍ଦୋରୀ ଚାରି ମାସ ହେବ ଘରେ ଥିଲେ । ସେ କେବଳ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଘରୁ ବାହାରକୁ ଯାଉଥିଲେ ।
ସେ କହିଛନ୍ତି ଯେ ଇନ୍ଦୋରୀ ଗତ ପାଞ୍ଚ ଦିନ ଧରି ଅଶାନ୍ତ ଅନୁଭବ କରୁଥିଲେ ଓ ଯେତେବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଫୁସଫୁସର ଏକ୍ସ-ରେ କରାଯାଇଥିଲା, ସେତେବେଳେ ତାଙ୍କୁ ନିମୋନିଆ ଥିବା ଜଣାପଡିଥିଲା । ତେବେ ଇନ୍ଦୋରୀଙ୍କ ମୃତ୍ୟୁ ହୃଦଘାତ ଜନିତ ହୋଇଥିବା ସୂଚନା ମିଳିଛି ।