ବିଶ୍ବରେ ପ୍ରଭୁତ୍ବ ପାଇଁ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତା ପୃଥିବୀରୁ ଚନ୍ଦ୍ର ଓ ଚନ୍ଦ୍ରରୁ ମଙ୍ଗଳ ଗ୍ରହରେ ପହଞ୍ଚିଛି । ଉଭୟ ଦେଶ ଅଲୌକିକ ମହାକାଶରେ ଅର୍ଥନୈତିକ ସଂପ୍ରସାରଣ ପାଇଁ ଘୋଷଣା କରିଛନ୍ତି । ଆଉ ଏଥିଯୋଗୁଁ ସେମାନେ ଅବଶିଷ୍ଟ ବିଶ୍ବ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛନ୍ତି । ଆମେରିକା ଓ ଚୀନ୍ ଭଳି ଭାରତ ମଧ୍ୟ ମଙ୍ଗଳ ଗ୍ରହ ଅନ୍ବେଷଣ କରୁଛି । ଯଦିଓ ଦୁଇ ଦେଶ ତୁଳନାରେ ଭାରତର ଗତି ଟିକେ କମ୍ । ଆମେରିକା ଓ ଚୀନର ମହତ୍ବାକାଂକ୍ଷୀ ମହାକାଶ ସଂପ୍ରସାରଣ ଗବେଷଣା ଯୋଜନା ଦୃଷ୍ଟିରୁ ଭାରତ ମଧ୍ୟ ନିଜର ମହାକାଶ ଗବେଷଣା କାର୍ଯ୍ୟକ୍ରମ ସୁଦୃଢ କରିବା ଜରୁରୀ ହୋଇପଡିଛି । ଯଦି କୌଣସି ଦେଶ ଚନ୍ଦ୍ରପୃଷ୍ଠରେ ଥିବା ସମ୍ବଳ ଉପରେ ଦାବି ନେଇ ଆପତ୍ତି ଉଠାଏ,ତାହା ହେଲେ ଆମେରିକା ବିରୋଧ କରିବ ବୋଲି ଚେତାବନୀ ଦେଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ମହାକାଶରେ ବ୍ୟବସାୟିକ ଖଣି ଖନନକୁ କାହିଁକି କୌଣସି ଦେଶ ବିରୋଧ କରିବ ? ୧୯୭୯ ମସିହାର ‘ମୁନ୍ ଟ୍ରିଟି’ ବା ଚନ୍ଦ୍ରମା ଚୁକ୍ତି ରେ ରହିଛି ଏହି ପ୍ରଶ୍ନର ଜବାବ୍ ।
ଭାରତ, ପାକିସ୍ତାନ ଓ ଫ୍ରାନ୍ସ ସମେତ ୧୮ଟି ଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିଲା ମୁନ୍ ଟ୍ରିଟି । କିନ୍ତୁ ଆମେରିକା,ଚୀନ୍, ଋଷିଆ ଓ ବ୍ରିଟେନ ଏହି ଚୁକ୍ତିକୁ ଅନୁମୋଦନ କରି ନ ଥିଲେ । ଭାରତ ସରକାରୀ ଭାବେ ଚୁକ୍ତିରେ ସ୍ବାକ୍ଷର କରିଥିଲେ ମଧ୍ୟ ଏହାର ଉଦ୍ଦେଶ୍ୟକୁ ଅନୁମୋଦନ କରି ନ ଥିଲା । ଚୁକ୍ତିରୁ ଓହରିଯିବା ପାଇଁ ଭାରତ ଉପରେ ବେଶ୍ କିଛି ସମୟ ହେବ ଚାପ ପଡୁଛି । ଚନ୍ଦ୍ର ଓ ଅନ୍ୟ ମହାଜାଗତିକ ଗ୍ରହନକ୍ଷତ୍ରରେ କାର୍ଯ୍ୟକଳାପକୁ ପରିଚାଳନା କରିଥାଏ ଚନ୍ଦ୍ରମା ଚୁକ୍ତି । କେବଳ ଶାନ୍ତିପୂର୍ଣ୍ଣ ଭାବେ ମହାଜାଗତିକ ପିଣ୍ଡଗୁଡିକୁ ବ୍ୟବହାର କରିବା ପାଇଁ ଚୁକ୍ତିରେ ଉଲ୍ଲେଖ ଥିଲା । ଚୁକ୍ତିରେ ଉଲ୍ଲେଖିତ ନିୟମାବଳୀକୁ ପାଳନ କରି ଚନ୍ଦ୍ରର ସମ୍ବଳ ମାନବଜାତି ପାଇଁ ବ୍ୟବହାର କରାଯିବ ବୋଲି ବୁଝାମଣା ହୋଇଥିଲା । ତେବେ, ଚୁକ୍ତିରେ ସ୍ବାକ୍ଷର କରି ନ ଥିବା ଦେଶଗୁଡିକ ନିୟମଗୁଡିକୁ ଗ୍ରହଣ କଲେ ନାହିଁ । ସେଥିପାଇଁ ହିଁ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଏକଜିକ୍ୟୁଟିଭ ଅର୍ଡରରେ ମହାକାଶ ସମ୍ବଳ ଅନ୍ବେଷଣ ଓ ଏହାର ସୁବିନିଯୋଗ ନେଇ ଥିବା ଅନିଶ୍ଚିତତା ଦୂର କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଟ୍ରମ୍ପଙ୍କ ଏକଜିକ୍ୟୁଟିଭ ଅର୍ଡରରେ କୁହାଯାଇଛି ଯେ, ଆଉଟର୍ ସ୍ପେସକୁ ଆମେରିକା ‘ଗ୍ଲୋବାଲ୍ କମନ୍ସ’ ଭାବେ ଦେଖେ ନାହିଁ । ୧୯୭୯ର ଚନ୍ଦ୍ରମା ଚୁକ୍ତି ଏକ ବିଫଳ ଉଦ୍ୟମ ବୋଲି ଟ୍ରମ୍ପ କହିଛନ୍ତି । ଏହାଛଡା ଏହି ଚୁକ୍ତିରୁ ଚୀନ୍ ଅନାବଶ୍ୟକ ଫାଇଦା ଉଠାଇ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଆମେରିକା ସରକାର ଆଶଙ୍କା କରୁଛନ୍ତି ।
ଚୀନ୍ କିନ୍ତୁ ତାହାର ମହାକାଶ କାର୍ଯ୍ୟକ୍ରମ ସହ ଆଗକୁ ବଢିବାରେ ଲାଗିଛି । ଚୀନ୍ର ରହିଛି ନିଜସ୍ବ ମହାକାଶ ଏଜେଣ୍ଡା । ନିକଟରେ ଚୀନ୍ ଫ୍ଲେକ୍ସିଲେ୍ ଇନଫ୍ଲେଟବଲ୍ କାର୍ଗୋ ରିଏଂଟ୍ରି ଭେଇକିଲ ( ଏଫଆଇସିଆରଭି ) ପୃଥିବୀର କକ୍ଷକୁ ଛାଡିଛି । ଲଙ୍ଗ୍ ମାର୍ଚ୍ଚ -୫ବିର ପ୍ରଥମ ଉଡାଣ ଜରିଆରେ ଏହି ଭେଇକିଲ୍ ଛଡାଯାଇଛି । ପୂର୍ବରୁ ଚୀନ୍ ଚନ୍ଦ୍ର ଭିତ୍ତିକ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପ୍ରତି ପାଇଁ ପ୍ରସ୍ତାବ ଦେଇଥିଲା । ମହାକାଶ ସେବା, ଶୈଳ୍ପିକ ଉତ୍ପାଦନ ଓ ବ୍ୟବସାୟିକ ମହାକାଶ ଖନନ ଦ୍ବାରା ୧୦ ଟ୍ରିଲିୟନ ଆମେରିକୀୟ ଡଲାର ଏହାର ଅର୍ଥନୀତିକୁ ଆଣିବାକୁ ଲକ୍ଷ୍ୟ ରଖିଥିଲା ଚୀନ୍ । ଚୀନ୍ର ଏହି ଅତି ମହତ୍ବାକାଂକ୍ଷୀ ମହାକାଶ ମିଶନର ଚ୍ୟାଲେଞ୍ଜ କରି ଆମେରିକା ଆର୍ଟେମିସ୍ ପ୍ରୋଗ୍ରାମ୍ ପ୍ରଚଳନ କରିଥିଲା ।
ଚନ୍ଦ୍ରମାରେ ଦୀର୍ଘକାଳୀନ ସ୍ଥାୟୀ ଉପସ୍ଥିତି ପାଇଁ ଆମେରିକା ଏହି କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଘୋଷଣା କରିଥିଲା । ଏହାକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞ ୧୯୭୯ର ଚନ୍ଦ୍ରମା ଚୁକ୍ତିରୁ ଓହରିଯିବା ପାଇଁ ଭାରତକୁ ଦୃଢ ଭାବେ ପରାମର୍ଶ ଦେଇଛନ୍ତି । ଭାରତ ସରକାର ମଧ୍ୟ ଏହା ଉପରେ ଗୁରୁତ୍ବ ସହ ବିଚାର କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଭାରତ ମଧ୍ୟ ମଙ୍ଗଳଯାନ, ଚନ୍ଦ୍ରାୟନ ଭଳି ସଫଳ ମହାକାଶ ଅଭିଯାନ କରିଛି । ଏବେ ଗଗନଯାନ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି ଭାରତ । ଚୀନ୍ର ବଢିଚାଲିଥିବା ମହାକାଶ ପ୍ରଭୁତ୍ବକୁ ରୋକିବା ପାଇଁ ଭାରତ ଆମେରିକାର ସମର୍ଥନ ଆବଶ୍ୟକ କରେ ।