ଅମୃତସର: ଆମର ଯଦି ଜଣେ ଯବାନ ଶହୀଦ ହେବେ ତେବେ ପାକିସ୍ତାନର 2 ଜଣ ମରିବା ଦରକାର । ଜଣକୁ ମାରିଲେ ଆମେ 2 ଜଣକୁ ମାରିବା । ପାକିସ୍ତାନକୁ ତାଙ୍କରି ଭାଷାରେ ଜବାବ ଦେବା ଉଚିତ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ।
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପୁଲୱାମା ଆଟାକ ଉପରେ ମନ୍ତବ୍ୟ ରଖି କହିଥିଲେ ଯେ ପାକିସ୍ତାନର ଏଥିରେ କୌଣସି ଦୋଷ ନାହିଁ । ଭାରତ ପାଖରେ ପାକିସ୍ତାନ ବିରୋଧରେ କୌଣସି ପ୍ରମାଣ ନାହିଁ । ତେବେ ଯଦି ଭାରତ ଆକ୍ରମଣ କରେ ତେବେ ପାକିସ୍ତାନ ଏହାର ପ୍ରତିଶୋଧ ନେବ ।
ଏହା ଉପରେ ମନ୍ତବ୍ୟ ଦେଇ ଅମରିନ୍ଦର ସିଂହ ପାକ୍ ପ୍ରଧାନମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ କେବଳ ଯୁଦ୍ଧର ଭାଷା ବୁଝେ । ତାହାକୁ ତାହାରି ଭାଷାରେ ଜବାବ ଦେବା ଦରକାର । ଆମେ ପୂର୍ବରୁ କହିଆସିଛୁ ଭାରତ ସରକାରଙ୍କ ସହ ଆମେ ଅଛୁ । ସରକାର ଯାହା କରିବେ ତାହାକୁ ଆମେ ସମର୍ଥନ ଦେବୁ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେଇଏମ ମୁଖ୍ୟ ମସୁଦ ଆଝାର ପାକିସ୍ତାନରେ ଅଛି । ଏହା ସମସ୍ତଙ୍କୁ ଜଣା । ତାକୁ ଗିରଫ ନକରି ପ୍ରମାଣ ମାଗିବା ନିହାତି ମୂର୍ଖାମୀର ବିଷୟ । ଭାରତ ସର୍ବଦା ଆତଙ୍କବାଦ ବିରୋଧରେ ପ୍ରମାଣ ଦେଇଆସୁଛି । ଆଉ କେତେ ଅଧିକ ପ୍ରମାଣ ଦରକାର । ଆମ ଯବାନଙ୍କ ହାତରେ ମରିଥିବା ଆତଙ୍କବାଦୀଙ୍କ ଶବ ଦେଖିଲା ପରେ ହୁଏତ ପାକିସ୍ତାନ ବିଶ୍ୱାସ କରିବ ସେମାନେ ଆତଙ୍କବାଦୀ ବୋଲି । ସାରା ବିଶ୍ୱ ସତ ଜାଣିଥିବାବେଳେ ଏପରି ଫାଲତୁ ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ଅମରିନ୍ଦର କହିଛନ୍ତି ।