ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ହୋଟେଲ ମାଲିକ ଗ୍ରାହକଙ୍କୁ ଆମନ୍ତ୍ରଣ କରିବା ପାଇଁ ଏକ ଭିନ୍ନ ଉଦ୍ୟମ ଆରମ୍ଭ କରିଛନ୍ତି । ଏକ ବଡ଼ ଥାଳିରେ ସଜା ଯାଇଥିବା ଚାରି କେଜି ଓଜନର ସୁସ୍ବାଦୁ ଭୋଜନକୁ ଶେଷ କରି ଗ୍ରାହକଙ୍କୁ ଏକ ରୟାଲ ଏନଫିଲ୍ଡ ବୁଲେଟ ବାଇକ୍କୁ ଜିତିପାରିବାର ଅଫର ଆଣିଛନ୍ତି । ଏହି ଅଫରର ଘୋଷଣା ପରେ ଉକ୍ତ ହୋଟେଲରେ ଭିଡ ଜମିଥିବା ଦେଖିବାକୁ ମିଳିଛି ।
କୋରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଦେଶରେ ରେସ୍ତୋରାଁ ଗୁଡିକ ବନ୍ଦ ରହିଥିଲା । ତେବେ ସ୍ଥିତି ସୁଧୁରିବା ପରେ କେନ୍ଦ୍ର ସରକାର ଏହି ଦୋକାନଗୁଡିକୁ ଖୋଲିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ସଂକ୍ରମଣ ପାଇଁ ଲୋକମାନେ ଏତେ ମାତ୍ରାରେ ଦୋକାନରେ ଭୋଜନ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ତେବେ ହୋଟେଲ ମାଲିକମାନେ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଗ୍ରାହକଙ୍କୁ ଦୋକାନକୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଅଫର ଆଣିଛନ୍ତି ।
ପୁଣେର ୱାଡଗାଁଓ ମାଭାଲ ଅଞ୍ଚଳର ଶିଭରାଜ ହୋଟେଲର ମାଲିକ ଅତୁଲ ୱାଇକର ଗ୍ରାହକଙ୍କ ପାଇଁ ଏହି ଅଫର ଆଣିଛନ୍ତି । ସେ ଆୟୋଜନ କରିଥିବା 'ୱିନ ଏ ବୁଲେଟ ବାଇକ୍' ପ୍ରତିଯୋଗିତାରେ ଏକ ବଡ଼ ଆମିଷ ଥାଳିରେ ପ୍ରାୟ 12 ପ୍ରକାରର ବ୍ୟଞ୍ଜନ ରହିଛି, ଯାହାକୁ ପ୍ରତିଯୋଗୀ 1 ଘଣ୍ଟା ମଧ୍ୟରେ ଶେଷ କରି ବାଇକ୍ ଜିତିବାର ହକ୍ଦାର ହୋଇପାରିବେ । ଏହି ରୟାଲ ଏନଫିଲ୍ଡ ବାଇକର ମୂଲ୍ୟ ହେଉଛି 1 ଲକ୍ଷ 65 ହଜାର । ଏହି ସମ୍ପୂର୍ଣ୍ଣ ନିରାମିଷ ଥାଳିକୁ ତିଆରି କରିବା ପାଇଁ 55 ଜଣ ରୋଷେୟା ନିୟୋଜିତ ହୋଇଥିବା ବେଳେ 4କେ.ଜି ମଟନ୍ ଓ ଫ୍ରାଏଡ ମାଛ ଆବଶ୍ୟକ ହୋଇଥିଲା ।