ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଦୁଇ ମୁଖ୍ୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ବିବାଦ ଜାରି ରହିଛି । କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଲ୍ଲୀର ଲୋଧି ଇଷ୍ଟେଟରେ ସରକାରୀ ବଙ୍ଗଳା ଛାଡିବାକୁ ନୋଟିସ ଦିଆଯାଇଛି। ଅଗଷ୍ଟ ସୁଦ୍ଧା ପ୍ରିୟଙ୍କାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ପଡିବ। ତେବେ କଂଗ୍ରେସ ଏହାକୁ ନିଜ ଉପରେ ଆକ୍ରମଣ ବୋଲି କହିଛି।
ପ୍ରକାଶଥାଉକି, ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶରେ ଏସପିଜି ସୁରକ୍ଷା ସମୀକ୍ଷା କରିଥିଲା। ଏହାପରେ ଗାନ୍ଧୀ ପରିବାର ଯଥା- ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ବର୍ତ୍ତମାନ ଏହି 3 ଜଣଙ୍କ ପାଖରେ Z Plus ସୁରକ୍ଷା ବ୍ୟବସ୍ଥା ରହିଛି ।
ପ୍ରିୟଙ୍କାଙ୍କୁ ଏସପିଜି ସୁରକ୍ଷା ଅନ୍ତର୍ଗତ ଲୋଧି ଇଷ୍ଟେଟରେ ଏକ ସରକାରୀ ବଙ୍ଗଳା ଦିଆଯାଇଥିଲା । ବର୍ତ୍ତମାନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟ କହିଛି ଯେ ଏହି ସୁରକ୍ଷା କାର୍ଯ୍ୟକାରୀ ହେଉନଥିବାରୁ ଅଗଷ୍ଟ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ପଡିବ।