ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଶନିବାର-ରବିବାର ଲକଡାଉନ୍ ଘୋଷଣା କରାଯାଇଛି । ଏହାକୁ ନେଇ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି । କୋରୋନା ସଙ୍କଟକୁ ମୁକାବିଲାରେ ସରକାରଙ୍କ ବିଫଳତାକୁ ଲୁଚାଇବା ପାଇଁ ବିଜେପିର ଏହା ‘ୱିକେଣ୍ଡ ବେବି ପ୍ୟାକ୍’ ବୋଲି ସେ କହିଛନ୍ତି । ସେ ଏକ ଟ୍ବିଟ୍ କରି ଏକ ଗ୍ରାଫ୍ ସେୟାର କରିଛନ୍ତି । ଏହି ଗ୍ରାଫରେ ଗତ 3 ମାସର କୋରୋନା ମାମଲା ରହିଛି । 10 ଜୁଲାଇରେ 1347 ମାମଲା, 11 ଜୁଲାଇରେ 1403 ଓ 12 ଜୁଲାଇରେ 1388 ଟି ମାମଲା ସାମ୍ନାକୁ ଆସିଛି ।
ସେ କହିଛନ୍ତି ଯେ ଲକଡାଉନର ‘ୱିକେଣ୍ଡ ବେବି ପ୍ୟାକ୍’ର ଆବଶ୍ୟକତା ଏଯାଏଁ ବୁଝାପଡିଲାନି । ଏହାପୂର୍ବରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କୋରୋନା ସଂକ୍ରମଣର ପ୍ରସାରକୁ ଦୃଷ୍ଟିରେ ରଖି ସପ୍ତାହରେ 4 ଟି କାର୍ଯ୍ୟଦିବସ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। ଅଖିଳେଶ ରବିବାର କହିଛନ୍ତି ଯେ ସପ୍ତାହ ଶେଷରେ ଲକଡାଉନ୍ ପକାଇବା ପରିବର୍ତ୍ତେ ସରକାର ସପ୍ତାହରେ 4ଦିନ କାର୍ଯ୍ୟଦିବସ ଲାଗୁ କରିବା ଉଚିତ ଓ ଏହାକୁ ଦୀର୍ଘସ୍ଥାୟୀ କରାଯିବା ଉଚିତ।