ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି 69ତମ ଜନ୍ମଦିନ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୋଦି ମା’ ହୀରାବେନଙ୍କ ଆର୍ଶୀବାଦ ନେବା ପାଇଁ ଗୁଜୁରାଟ ଗସ୍ତରେ ଅଛନ୍ତି । ସୋମବାର ବିଳମ୍ବିତ ରାତିରେ ମୋଦି ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତା ସ୍ବାଗତ କରିବା ସହ ରାଜଭବନକୁ ପାଛୋଟି ନେଇଥିଲେ । ମୋଦି ରାଜଭାବନରେ ରାତ୍ରୀ ଯାପନ କରିଥିଲେ । ଆଜି ସକାଳ 5ଟାରେ ପ୍ରଧାନମନ୍ତ୍ରୀ ମା’ ହୀରାବେନ ରହୁଥିବା ଘରେ ପହଞ୍ଚିଥିଲେ । ଜନ୍ମଦିନ ଅବସରରେ ମୋଦିଙ୍କୁ ଆର୍ଶୀବାଦ ଦେବା ସହ ମିଠା ଖୁଆଇଥିଲେ । ଏହାସହ କିଛି ଉପହାର ମଧ୍ୟ ଦେଇଛନ୍ତି ମା’ ହୀରାବେନ ।
ମା’ଙ୍କ ଆର୍ଶୀବାଦ ପରେ ମୋଦି ସିଧାସଳଖ ଗାନ୍ଧୀନଗର ସଚିବାଳୟ ହେଲିପ୍ୟାଡରୁ 6.45ରେ ବାହାରି ସକାଳ 8ଟାରେ ନର୍ମଦା କେୱଡିଆ କଲୋନୀରେ ପହଞ୍ଚିବେ । ଏଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାମ ନୀରିକ୍ଷଣ କରିବେ । ଏଠାରୁ 9.30ରେ ସର୍ଦ୍ଦାର ସରୋବର ଡ୍ୟାମରେ ପହଞ୍ଚିବେ । ଯେଉଁଠାରେ ଗୁଜୁରାଟ ସରକାର ‘ନମାମୀ ଦେବୀ ନର୍ମଦେ’ ମହୋତ୍ସବ ଆୟୋଜନ କରିଛନ୍ତି । ମହୋତ୍ସବରେ ମୋଦି ସାମିଲ ହୋଇ ନର୍ମଦା ନଦୀ ଓ ଡ୍ୟାମର ପୂଜାର୍ଚ୍ଚନା କରି ମହାଆଳତୀ କରିବେ ।