ନୂଆଦିଲ୍ଲୀ:ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର 15 ତାରିଖରେ ଗୁଜରାଟ କଚ୍ଛ ଜିଲ୍ଲାର ଧୋରଦ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ନରେନ୍ଦ୍ର ମୋଦି କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ମଧ୍ୟରେ ସ୍ବଚାଳିତ ଦୁଗ୍ଧ ବିଶୋଧନା ଓ ପ୍ୟାକିଂ ପ୍ରକଳ୍ପ, ହାଇବ୍ରିଡ ନବୀକରଣ ଶକ୍ତି ପ୍ରକଳ୍ପ ଓ ଡିସାଲିନେସନ ପ୍ଲାଣ୍ଟ ଆଦିର ଶିଳାନ୍ୟାସ ବା ଉଦଘାଟନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଏହି ଅବସରରେ ମୋଦି ଶ୍ବେତ ରଣ କଚ୍ଛ ବୁଲିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୋଦିଙ୍କ ସହ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।