ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପାକିସ୍ତାନରେ ବିମାନ ଦୁର୍ଘଟଣା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆହତମାନେ ଶୀଘ୍ର ସୁସ୍ଥ ହେବାକୁ ସେ କାମନା କରିଥିଲେ । ବିମାନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ପାକିସ୍ତାନରେ ବିମାନ ଦୁର୍ଘଟଣା ଯୋଗୁଁ ଧନଜୀବନ ନଷ୍ଟ ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କ ପରିବାର ପ୍ରତି ପିଏମ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
ସୂଚନା ଯେ, ଲାହୋରରୁ କରାଚି ଯାଉଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ବିମାନ କରାଚି ବିମାନବନ୍ଦର ନିକଟ ଜନବସତି ଅଞ୍ଚଳରେ ଖସିପଡିଥିଲା । ଏହି କାରଣରୁ ଉକ୍ତ ସ୍ଥାନରେ ଥିବା ଘରେ ନିଆଁ ଲାଗିଯାଇଥିଲା । ବିମାନଟି ଜିନ୍ନା ବିମାନବନ୍ଦର ନିକଟରେ ଥିବା ମଡେଲ କଲୋନୀରେ ଖସିପଡିଥିଲା । ଦୁର୍ଘଟଣାଗ୍ରସ୍ତ ବିମାନରେ ଆଠ ଜଣ କ୍ରୁ ସଦସ୍ୟ ଏବଂ 99 ଜଣ ଯାତ୍ରୀ ଥିଲେ । କରାଚିରେ ଅବତରଣ କରିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । 2 ଜଣ ଯାତ୍ରୀ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିବା ସୂଚନା ରହିଛି ।