ଲକ୍ଷ୍ନୌ: ରାଜ୍ୟରେ ବଢୁଛି ଗୁଣ୍ଡାରାଜ । ରାଜସ୍ଥାନର ଜଣେ ପୁରୋହିତ ଜୀବନ୍ତ ଦଗ୍ଧ ଘଟଣାର କିଛି ଦିନ ପରେ ପୁଣି ୟୁପି ଗୋଣ୍ଡା ଜିଲ୍ଲାରେ ଜମି ବିବାଦକୁ ନେଇ ଅନ୍ୟ ଜଣେ ପୁରୋହିତଙ୍କୁ ଗୁଳି କରାଯାଇଛି । ଏଭଳି ଘଟଣା ଗତ ଶନିବାର ଘଟିଛି ।
ସୂଚନା ଅନୁଯାୟୀ, ଏଥିଆଥୋକ କୋଟୱାଲି ଅଞ୍ଚଳରେ ଥିବା ରାମ ଜାନକୀ ମନ୍ଦିର ପୁରୋହିତ ସମ୍ରାଟ ଦାସଙ୍କୁ ଶନିବାର ଦୁର୍ବୃତ୍ତ ମାନେ ଗୁଳି କରି ଫେରାର ହୋଇଯାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଯାଇଥିଲା ।
ଏହି ଘଟଣା ନେଇ ପୋଲିସ ଏକ ମାମଲା ରୁଜୁ କରି 2 ଦୁର୍ବୃତ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଦୁର୍ବୃତ୍ତ ଫେରାର ଥିବା ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ, ଗତ ବର୍ଷ ଉକ୍ତ ମନ୍ଦିରର ଅନ୍ୟ ଜଣେ ପୁରୋହିତ ବାବା ସୀତାରାମ ଦାସଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଏବେସୁଦ୍ଧା ଏହି ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି। ଏପଟେ ପୁରୋହିତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ଏପଟେ ଏହି ଘଟଣାକୁ ନେଇ ୟୁପିର ଆଇନ ବ୍ୟବସ୍ଥାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ନେତା ଅନୁରାଗ ଭଦୌରିଆ । ସେ କହିଛନ୍ତି, ରାଜ୍ୟରେ ଅପରାଧୀମାନଙ୍କର ମୁକ୍ତ ହୋଇ ବୁଲୁଛନ୍ତି । ସେମାନଙ୍କୁ ବର୍ତ୍ତମାନ ପୋଲିସକୁ ଡର ନାହିଁ । ରାଜ୍ୟରେ ଗୁଣ୍ଡାରାଜ ବଢି ବଢି ଚାଲିଛି । ଏପରି ଲାଗୁଛି ରାଜ୍ୟରେ ଯେକୌଣସି ବ୍ୟକ୍ତି ଅପରାଧୀଙ୍କ ଗୁଳିର ଶିକାର ହେବେ ।