ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । 74 ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶ ଏବଂ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୋବିନ୍ଦ । ସ୍ବାଧୀନତା ଦିବସ ଅବସରରେ ଚୀନର ନାମ ନନେଇ ସୀମା ବିବାଦ ବିଷୟରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ବିଶ୍ବ ଏବେ ମହାମାରୀ କୋରୋନା ସହ ଲଢେଇ କରୁଛି । ଏହି ସମୟରେ ବିଶ୍ବ ସମୁଦାୟ ଏକାଠି ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । କିନ୍ତୁ ଆମ ପଡ଼ୋଶୀ ଚତୁରତାର ସହିତ ଏହାର ବିସ୍ତାରବାଦୀ କାର୍ଯ୍ୟକଳାପରେ ଲାଗି ପଡିଛି ବୋଲି ସେ କହିଛନ୍ତି ।
ଗଲୱାନ ଉପତ୍ୟକା ସଂଘର୍ଷରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ କୋବିନ୍ଦ କହିଛନ୍ତି, ସୀମା ରକ୍ଷା କରି ଆମର ସାହସୀ ସୈନିକମାନେ ପ୍ରାଣ ହରାଇଲେ। ଭାରତ ମାର ସେହି ପୁଅମାନେ କେବଳ ଜାତୀୟ ଗର୍ବ ପାଇଁ ବଞ୍ଚନ୍ତି ଏବଂ ଏଥିପାଇଁ ନିଜ ଜୀବନ ଉତ୍ସର୍ଗ କରିଦିଅନ୍ତି । ଗଲୱାନ ଉପତ୍ୟକାର ବଳିଦାନକୁ ସମଗ୍ର ଦେଶ ମନେ ରଖିବ । ପ୍ରତ୍ୟେକ ଭାରତୀୟ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି କୃତଜ୍ଞତା ଜଣାଉଛନ୍ତି । ଆମେ ଶାନ୍ତିରେ ବିଶ୍ବାସ ରଖୁ । କିନ୍ତୁ ଯଦି କେହି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ ବୋଲି କୋବିନ୍ଦ କହିଛନ୍ତି ।
ଏହି ଅବସରରେ ସେ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ କୃତଜ୍ଞତାର ସହ ମନେ ପକାଇଛନ୍ତି । ସେମାନଙ୍କର ବଳିଦାନ ହେତୁ ଆଜି ଆମେ ସମସ୍ତେ ଏକ ସ୍ବାଧନ ଦେଶରେ ରହୁଛୁ ବୋଲି କୋବିନ୍ଦ କହିଛନ୍ତି । ସେ କହିଛନ୍ତି, ଆମ ସ୍ବାଧୀନତା ସଂଗ୍ରାମର ଆଦର୍ଶର ମୂଳଦୁଆ ଉପରେ ଆଧୁନିକ ଭାରତ ନିର୍ମାଣ କରାଯାଉଛି। ଆମର ଦୂରଦୃଷ୍ଟିସମ୍ପନ୍ନ ଜାତୀୟତାବାଦୀମାନେ ସେମାନଙ୍କର ବିବିଧ ଚିନ୍ତାଧାରାକୁ ଜାତୀୟତାର ସୂତ୍ରରେ ସୂତ୍ରିତ କରିଛନ୍ତି । ଦେଶକୁ ଅତ୍ୟାଚାରକାରୀ ବିଦେଶୀ ଶାସନରୁ ମୁକ୍ତ କରିବା ଏବଂ ଭାରତୀୟଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସେମାନଙ୍କର ପ୍ରତିବଦ୍ଧତା ଥିଲା। ସେମାନେ ନିଜର କାର୍ଯ୍ୟକଳାପ ମାଧ୍ୟମରେ ଏକ ଆଧୁନିକ ରାଷ୍ଟ୍ର ଭାବରେ ଭାରତର ପରିଚୟ ସୃଷ୍ଟି କରିଛନ୍ତି ବୋଲି କୋବିନ୍ଦ କହିଛନ୍ତି।