କୋଲକାତା: ନୀତିଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ)ରୁ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ବହିଷ୍କୃତ ହେବାପରେ ବର୍ତ୍ତମାନ ପ୍ରଶାନ୍ତ ବିହାର ସରକାରଙ୍କ ଉପରେ ଯୋରଦାର ହମଲା ଜାରି ରଖିଛନ୍ତି । ‘ବିହାର କୀ ବାତ୍’ ନାମରେ ଏକ ଯାତ୍ରା ଚଳାଇଛନ୍ତି । ଯେଉଁଥିରେ ବିହାରର ପ୍ରାୟ 10 ଲକ୍ଷ ଯୁବକଙ୍କୁ ଯୋଡିବାର ଲକ୍ଷ୍ୟ ରଖିଛନ୍ତି । ଏହାଛଡା ସେ ଜଣେ ଜଣାଶୁଣା ରଣନୀତିକାର ଭାବେ ସାରା ଦେଶରେ ପରିଚିତ । ଏଭଳି ସ୍ଥଳେ ପ୍ରଶାନ୍ତ ଆଗାମୀ ବିହାର ନିର୍ବାଚନରେ ବଡ ପ୍ରଭାବ ପକାଇବେ ବୋଲି ଆକଳନ କରାଯାଉଛି । ତେବେ ଖୁବ ଶୀଘ୍ର ପ୍ରଶାନ୍ତ କିଶୋର ରାଜ୍ୟସଭା ଯିବା ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଶାନ୍ତ କିଶୋରଙ୍କ ବିଧିବଦ୍ଧ ରାଜନୀତି ପଶ୍ଚିମବଙ୍ଗରୁ ଆରମ୍ଭ ହେବ ।
ସୂତ୍ର ଅନୁସାରେ ପଶ୍ଚିମବଙ୍ଗ ସରକାର ନିଜ କୋଟାରୁ ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଏହାସହ ଦଳର ବରିଷ୍ଠ ନେତା ମାନେ ପ୍ରଶାନ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଛନ୍ତି । ଖବୁ ଶୀଘ୍ର ନିଷ୍ପତି ହେବ । ଚଳିତ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ 5 ଟି ସିଟ ଖାଲି ହେବ । ସେଥିରୁ ତୃଣମୂଳ କଂଗ୍ରେସ 4ଟି ଆସନ ଅତି ସହଜରେ ଦଖଲ କରିବ । କିନ୍ତୁ ପଞ୍ଚମ ଆସନ ପାଇଁ ଶାସକ ତୃଣମୂଳ କଂଗ୍ରେସ-କଂଗ୍ରେସ-ସିପିଆଇ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବ । ଫଳରେ ଏହି ଆଶନ କିଏ ଜିତିବ ତାହା ଏବେ ଅନିଶ୍ଚିତତାରେ । ଏହି ସ୍ଥିତିରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଞ୍ଚମ ସିଟ ପାଇଁ ପ୍ରଶାନ୍ତ କିଶୋରଙ୍କ ନା ଘୋଷଣା କରିପାରେ । ଫଳରେ ଦଳ କଂଗ୍ରେସର ସମର୍ଥନ ହାସଲ କରିପାରିବ । ଏବଂ ଟିଏମସି ନିଜ ରାଜନୀତି ଫାଇଦା ମଧ୍ୟ ହାସଲ କରିପାରିବ ।