ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପର୍ତ୍ତୁଗୀଜ ପ୍ରତିପକ୍ଷ ଆଣ୍ଟୋନିଓ କୋଷ୍ଟା କୋଭିଡ-19 ଉପରେ ବ୍ୟାପକ ଆଲୋଚନା କରିଛନ୍ତି । କୋଭିଡ-19 ମୁକାବିଲାରେ ଦୁଇ ଦେଶ ମିଳିତ ଭାବରେ କାର୍ଯ୍ୟ କରିବେ ଏବଂ ପରସ୍ପରକୁ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ମୋଦି କହିଛନ୍ତି ଯେ କୋରୋନା ମୁକାବିଲାରେ ଦୁଇ ଦେଶ ମଧ୍ୟରେ ସହମତି ରହିବ । ମେଡିକାଲ ଉପକରଣ ବଣ୍ଟନ ସହ କୋରୋନା ସମ୍ପର୍କିତ ଅନୁସନ୍ଧାନ ଗୁଡିକ ମଧ୍ୟ ଦୁଇ ଦେଶ ଆଦାନ ପ୍ରଦାନ କରିବେ ।
ଏହି ଆଲୋଚନା ସମୟରେ ପର୍ତ୍ତୁଗୀଜର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋଭିଡ-19ର ମୁକାବିଲା ଓ ଦେଶରେ କୋଭିଡ-19ର ସ୍ଥିତିକୁ ନେଇ ଶୁଭେଚ୍ଛା ଜଣାଇଥିଲେ । ତେବେ ମହାମାରୀର ସ୍ଥିତି, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ପ୍ରଭାବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ଦେଶ ଗ୍ରହଣ କରୁଥିବା ପଦକ୍ଷେପ ଉପରେ ଦୁଇ ନେତା ଆଲୋଚନା କରିଥିଲେ ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲକୁ ଭାରତୀୟ ଯାତ୍ରୀଙ୍କ ଭିସା ବୈଧତା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତରେ ପର୍ତ୍ତୁଗୀଜ୍ ନାଗରିକମାନଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ସୁବିଧା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କୋଷ୍ଟା କୃତଜ୍ଞତା ଜଣାଇଥିଲେ । ଏହାସହ କୋଭିଡ-19 ମୁକାବିଲାର ପରବର୍ତ୍ତୀ ପ୍ରସଙ୍ଗରେ ପରାମର୍ଶ କରିବାକୁ ଦୁଇ ଦେଶ ସହମତ ହୋଇଛନ୍ତି ।