ନୂଆଦିଲ୍ଲୀ: ରବିବାର ସ୍କୁଲ ଛୁଟି ଓ ବଢିଯାଏ ପିଲାଙ୍କ ଉତ୍ସାହ । ମଧ୍ୟାହ୍ନ ଭୋଜନ ଆଗରୁ ଟିଭି ଆଗରେ ପୁରା ପରିବାରର ଭିଡ । ସମୟ ଆଗରୁ ସମସ୍ତେ ରେଡି ହୋଇ ବସିଯାଆନ୍ତି । କାରଣ ପ୍ରସାରଣ ହେବାକୁ ଥାଏ ଛୋଟ ପରଦାର ଫେଭରିଟ ଶୋ । ଭାରତର ପ୍ରଥମ ସୁପରହିରୋ । ସମସ୍ତଙ୍କ ପସନ୍ଦର କାର୍ଯ୍ୟକ୍ରମ ଶକ୍ତିମାନ । ଦୁଷ୍ଟ ବୈଜ୍ଞାନିକଙ୍କ ସହ ଶକ୍ତିମାନର ଲଢେଇ, ଡାକ୍ତର ଗଙ୍ଗାଧରଙ୍କ କମେଡି ଏବଂ ଶେଷରେ ଶିକ୍ଷଣୀୟ ବାର୍ତ୍ତା । କିଏ ଭୁଲିପାରିବ ଛୋଟବେଳର ସେହି ସ୍ମୃତିକୁ ।
ତାଜା ହେବ ପୁରୁଣା ସ୍ମୃତି । ପୁଣି ଥରେ ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ ଟିଭି ଶୋ । ଲୋକେ କୁହନ୍ତି ‘ଓଲ୍ଡ ଇଜ ଗୋଲ୍ଡ ’ । ଆଉ ଏହି ଉକ୍ତିକୁ ସଠିକ ପ୍ରମାଣ କରିଛି ଶକ୍ତିମାନ । କାରଣ ଏତେ ବର୍ଷ ପରେ ଲାପଟପ, ମୋବାଇଲ ଯୁଗରେ ଆଜି ମଧ୍ୟ ଏହି ଶୋର କମିନି ଚାହିଦା । ସେଥିପାଇଁ ତ ପୁଣିଥରେ ଏହି ଶୋକୁ ପୁନଃ ପ୍ରସାରଣ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଲୋକଙ୍କ ପାଇଁ ଫେରାଇ ଆଣିଛି ପୁରୁଣା ସ୍ମୃତି । କାରଣ ପରିବାର ସହ ସମସ୍ତେ ପୁଣି ଏକାଠି ହୋଇ ଦେଖୁଛନ୍ତି ପୁରୁଣା ଦିନର ଲୋକପ୍ରିୟ ସିରିଏଲ ।