ନୂଆଦିଲ୍ଲୀ: ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର) ନୂଆଦିଲ୍ଲୀର ପାଣିପାଗ ଦିନକୁ ଦିନ ବିଗିଡିବା ସହ ଏଠାକାର ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀର ବାୟୁ ଗୁଣବତ୍ତା 390 ରେକର୍ଡ କରାଯାଇଛି। ଯାହା ଅତ୍ୟଧିକ ବିପଦଜ୍ଜନକ ସ୍ତରରେ ପହଞ୍ଚିଛି। ସେହିପରି ଦିଲ୍ଲୀର ଆନନ୍ଦ ବିହାର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭାବେ ଉଭା ହୋଇଛି। ଯେଉଁଠି ବାୟୂ ପ୍ରଦୂଷଣର ହାର 440 ରେକର୍ଡ କରାଯାଇଛି।
ବିଷାକ୍ତମୟ ଦିଲ୍ଲୀ ପରିବେଶ, ନିଃଶ୍ବାସ ନେବାରେ ହେଉଛି କଷ୍ଟ - ନିଃଶ୍ବାସ ନେବା ହୋଇପଡିଛି କଷ୍ଟସାଧ୍ୟ
ବିପଦଜନକ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀର ବାୟୁ ପ୍ରଦୂଷଣ। ଏଠାକାର ଆନନ୍ଦ ବିହାର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ଭାବେ ପରିଗଣିତ ହୋଇଛି।
![ବିଷାକ୍ତମୟ ଦିଲ୍ଲୀ ପରିବେଶ, ନିଃଶ୍ବାସ ନେବାରେ ହେଉଛି କଷ୍ଟ](https://etvbharatimages.akamaized.net/etvbharat/prod-images/768-512-4900787-thumbnail-3x2-air.jpg)
ଦୀପାବଳି ପରଦିନଠୁ ରାଜଧାନୀର ପାଣିପାଗରେ ଅହେତୁକ ପରିବର୍ତ୍ତନ ଘଟିବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସଂଖ୍ୟା 400 ପାର କରିଛି । ଫଳରେ ନିଃଶ୍ବାସ ନେବାରେ ଅନେକ ଅସୁବିଧା ଭୋଗୁଛନ୍ତି ଲୋକେ। ଚଳିତବର୍ଷ ଦୀପାବଳିରେ ଗତବର୍ଷ ଅପେକ୍ଷା ବହୁତ କମ ବାଣ ଫୁଟାଯାଇଛି। ହେଲେ ବାଣରୁ ନିର୍ଗତ ଧୂଆଁ ଦିଲ୍ଲୀ ବାୟୁକୁ ସମ୍ପୂର୍ଣ୍ଣ ଭାବେ ବିଷାକ୍ତ କରିଦେଇଛି। ଯାହାର ପ୍ରଭାବ ଗତ ସୋମବାର ସକାଳ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ଦେଖିବାକୁ ମିଳିଛି।
ଏଭଳି ସ୍ଥିତିରେ ନାକେଦମ ହୋଇଗଲେଣି ଦିଲ୍ଲୀ ବାସିନ୍ଦା। ଏପରିକି ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି। ସିପିସିବିର କହିବା ଅନୁସାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରଦୂଷଣର ମାତ୍ରା ଆହୁରି ବଢିବ। ଲୋକଙ୍କୁ ସକାଳ ସମୟରେ ଘରେ ରହିବାକୁ ସିପିସିବି ପକ୍ଷରୁ କୁହାଯାଇଛି।