ନୂଆଦିଲ୍ଲୀ: NEET ଓ JEE ପରୀକ୍ଷାକୁ ନେଇ ଦେଶରେ ରାଜନୀତି ଗରମ ରହିଛି । ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ ପଚାରିବାରେ ବ୍ୟସ୍ତ । ପରୀକ୍ଷା ବନ୍ଦ କରିବାକୁ ସରକାରଙ୍କୁ ଅନେକ ଦଳର ନେତା ଦାବି କରିଆସୁଛନ୍ତି । NEET ଏବଂ JEE ପରୀକ୍ଷା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପରୀକ୍ଷା ପରିଚାଳନା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । କୋରୋନା ସଙ୍କଟ କାରଣରୁ ଛାତ୍ରମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିବା ସହ ସ୍ବର ଉତ୍ତୋଳନ କରୁଥିବାବେଳେ ବିରୋଧି ଦଳ ସରକାରଙ୍କୁ ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି । କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ଟ୍ବିଟ୍ କରି ଏହା ଉପରେ ଚିନ୍ତା କରିବାକୁ କହିଛନ୍ତି ।
ପ୍ରିୟଙ୍କା ଗାନ୍ଧୀ ଟ୍ବିଟରେ ଲେଖିଛନ୍ତି, କୋରୋନାରେ ଦେଶର ପରିସ୍ଥିତି ଏପର୍ଯ୍ୟନ୍ତ ସ୍ବଭାବିକ ହୋଇନାହିଁ । ଏପରି ପରିସ୍ଥିତିରେ, ଯଦି NEET ଏବଂ JEE ପରୀକ୍ଷା ଦେଉଥିବା ଛାତ୍ର ଏବଂ ସେମାନଙ୍କ ପିତାମାତା କିଛି ଚିନ୍ତା ପ୍ରକଟ କରିଛନ୍ତି, ତେବେ ଭାରତ ସରକାର ଓ ପରୀକ୍ଷା କରୁଥିବା ଅନୁଷ୍ଠାନ ଏହାକୁ ସଠିକ୍ ଭାବରେ ବିଚାର କରିବା ଉଚିତ୍ । ପ୍ରିୟଙ୍କା ଗାନ୍ଧୀ ଏହାକୁ ସୋସିଆଲ ମିଡିଆରେ ସତ୍ୟାଗ୍ରହ ଅଭିଯାନ ବୋଲି କହିଛନ୍ତି ।