ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ମହାନାଟକ: ଜାଣନ୍ତୁ କ'ଣ କହିଲେ ବରିଷ୍ଠ ରାଜନେତା.. - ମହାରାଷ୍ଟ୍ର ମହାନାଟକ

ଶନିବାର ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜାଣନ୍ତୁ ମହାରାଷ୍ଟ୍ରର ମହାନାଟକ ନେଇ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା କ'ଣ ରହିଛି।

ଡିଜାଇନ ଫଟୋ

By

Published : Nov 23, 2019, 1:45 PM IST

Updated : Nov 23, 2019, 2:27 PM IST

ମୁମ୍ବାଇ: ପ୍ରାୟ ମାସେ ହେବ ମହାରାଷ୍ଟ୍ରର ସରକାର ଗଠନକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଶ୍ଚର୍ଯ୍ୟଜନକ ଭାବେ ଏନସିପି ସହ ହାତ ମିଳାଇ ସରକାର ଗଢିଛି ବିଜେପି। ଶନିବାର ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏନସିପି-ଶିବସେନା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସରକାର ଗଢ଼ିବା ନେଇ ଶୁକ୍ରବାର ରାତି ସମସ୍ତ ନିଷ୍ପତ୍ତି ହୋଇସାରିଥିଲା । ଏଥିରେ 3 ଦଳର ମୋହର ମଧ୍ୟ ଲାଗିସାରିଥିଲା । ହେଲେ ରାତାରାତି ଓଲଟିଯାଇଥିଲା ସମସ୍ତ ବାଜି । ଶନିବାର ସକାଳୁ ହଠାତ୍‌ ଏନସିପି ୟୁ-ଟର୍ଣ୍ଣ ନେଇ ବିଜେପି ସହ ମିଶି ଗଢିଥିଲା ସରକାର। ଜାଣନ୍ତୁ ମହାରାଷ୍ଟ୍ରର ମହାନାଟକ ନେଇ ବରିଷ୍ଠ ରାଜନେତାଙ୍କ ପ୍ରତିକ୍ରିୟା କ'ଣ ରହିଛି...

ଏନେଇ ଏନସିପି ସପ୍ରିମୋ ଶରଦ ପାୱାର କହିଛନ୍ତି ଯେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତି, ଦଳର ନୁହେଁ । ବିଜେପି ସହ ମେଣ୍ଟକୁ ଦଳ ସମର୍ଥନ କରୁନାହିଁ।

ସେହିପରି ଏନସିପିର ବରିଷ୍ଠ ନେତା, ସାଂସଦ ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ କହିଛନ୍ତି, ଏନସିପି ପାଇଁ ଏହା ଅତ୍ୟନ୍ତ ଖରାପ ଦିନ। ଦଳ ଏବଂ ପରିବାର ଉଭୟ ଭାଙ୍ଗିଯାଇଛି ବୋଲି ନିଜ ହ୍ବାଟସଆପରେ ଷ୍ଟାଟସ ଦେଇଛନ୍ତି ସେ।

ଫଟୋ ସୌଜନ୍ୟ: ଟ୍ବିଟର

ମହାରାଷ୍ଟ୍ର ଘଟଣାକ୍ରମକୁ ନେଇ କଂଗ୍ରେସ ନେତା ଅଭିଶେଖ ମନୁ ସିଂଙ୍ଘଭୀ ବଲିଉଡ ଗୀତ ଯୋଗେ ଅଜିତ ପାୱାରଙ୍କୁ ସମାଲୋଚନା କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି, ଏଭଳି କରି ସମ୍ବିଧାନର ପରିହାସ କରିଛି ବିଜେପି । ଗୋଆ, ମେଘାଳୟ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ବିଜେପି ଏଭଳି କରିଥିଲା । ଏନସିପିର କୌଣସି ବିଧାୟକ ଏହାର ସମର୍ଥନ କରିବେ ନାହିଁ କେବଳ ଅଜିତ ପାୱାର ବିଜେପିର ସମର୍ଥନ କରିଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ

ଏନେଇ କଂଗ୍ରେସର ମୁଖପାତ୍ର ରଣଦୀପ ସୁରଜେୱାଲ ମେଣ୍ଟକୁ ସମାଲୋଚନା କରି କହିଛନ୍ତି, ଏହା ଜନାଦେଶ ସହ ବିଶ୍ବାସଘାତକ ଏବଂ ଲୋକତନ୍ତ୍ରର ହତ୍ୟା ।

ଫଟୋ ସୌଜନ୍ୟ: ଟ୍ବିଟର

ଏନସିପିର ବରିଷ୍ଠ ନେତା ନବାବ ମଲିକ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମେ ଉପସ୍ଥିତି ପାଇଁ ବିଧାୟକଙ୍କ ହସ୍ତାକ୍ଷର ନେଇଥିଲୁ, କିନ୍ତୁ ଏହାର ଦୂରୁପଯୋଗ ଶପଥ ଗ୍ରହଣ ପାଇଁ କରାଗଲା। ଏହା ଛଳକପଟରେ ଗଢାହୋଇଥିବା ସରକାର । ଏନସିପି ଆମ ସହ ଅଛି । ବିଜେପି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବ ବୋଲି ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ

ସେପଟେ ଶପଥ ଗ୍ରହଣ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାରାଷ୍ଟ୍ରର ଉଜ୍ଜ୍ବଳ ଭବିଷ୍ୟତ ଲାଗି ସେମାନେ ସର୍ବଦା ଚେଷ୍ଟିତ ରହିବେ ବୋଲି ଆଶା କରିଛନ୍ତି ପିଏମ ମୋଦି।

ଫଟୋ ସୌଜନ୍ୟ: ଟ୍ବିଟର

ମହାରାଷ୍ଟ୍ରର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍‌ କହିଛନ୍ତି, ଏବେ ଅନ୍ତତଃ ଶିବସେନା ନେତା ସଞ୍ଜୟ ରାଉତ ଚୁପ୍‌ ରହିବା ଉଚିତ। ସେ ଶିବସେନାକୁ ଉଜାଡ଼ି ଦେଇଛନ୍ତି।

ବିଜେପି ନେତା ଗିରିଶ ମହାଜନ କହିଛନ୍ତି, ମହାରାଷ୍ଟ୍ର ବିଧାନସଭାରେ ୧୭୦ରୁ ଉର୍ଦ୍ଧ୍ବ ବିଧାୟକଙ୍କ ସମର୍ଥନରେ ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ କରିବ।

ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏନଡିଏରେ ସାମିଲ ହେବା ପାଇଁ ଶରଦ ପାୱାରଙ୍କୁ ଆମନ୍ତ୍ରିତ କରିଛନ୍ତି । ଶରଦ ପାୱାର କେନ୍ଦ୍ରମନ୍ତ୍ରୀ ହିସାବରେ ତାଙ୍କ ଦକ୍ଷତା ପ୍ରମାଣ କରିବା ଉଚିତ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ସେପଟେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏନେଇ ଶିବସେନାକୁ ସମାଲୋଚନା କରିଛନ୍ତି। ଶିବସେନାର ସସ୍କୃତି ଆରଜେଡି ଭଳି । ଆରଜେଡି ଯେଭଳି ଅପରାଧ ଏବଂ ଗୁଣ୍ଡାଗର୍ଦ୍ଦି କରେ ଶିବସେନା ମଧ୍ୟ ଠିକ ସେଭଳି ବୋଲି ସେ କହିଛନ୍ତି।

ଭିଡିଓ ସୌଜନ୍ୟ: ଏଏନଆଇ
Last Updated : Nov 23, 2019, 2:27 PM IST

ABOUT THE AUTHOR

...view details