ଭୋପାଳ: କୋରୋନା କାଳରେ ମଧ୍ୟପ୍ରଦେଶ ପୋଲିସକୁ ଏକ ଉଲ୍ଲେଖନୀୟ ସଫଳତା । ଦେଶର ପ୍ରଥମ ରାଜ୍ୟ ଭାବରେ ମଧ୍ୟପ୍ରଦେଶରେ "ଏଫଆଇଆର-ଆଟ ଡୋରଷ୍ଟେପ" ପାଇଲଟ ପ୍ରୋଜେକ୍ଟ ଲଞ୍ଚ ହୋଇଛି । ଏଣିକି ପୋଲିସ ପୀଡିତାଙ୍କ ଘରେ ପହଞ୍ଚି ଏଫ୍ଆଇଆର୍ ପଞ୍ଜିକରଣ କରିବ । ଗୃହ, ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ।. ନରୋତ୍ତମ ମିଶ୍ର ସୋମବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟର ନୂତନ ପୋଲିସ କଣ୍ଟ୍ରୋଲ ରୁମ ଉଦଘାଟନ କରି ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି ଯେ ମହାମାରୀ କୋରୋନାର ସଂକ୍ରମଣ ସମୟରେ ଏହି ଯୋଜନା ସହଜରେ ସମସ୍ୟାର ସମାଧାନ କରିବ । ପୋଲିସ ଷ୍ଟେସନ ଲୋକଙ୍କ ଦୁଆରେ ପହଞ୍ଚିବ । ପୋଲିସ ବିଭାଗର ଏହି ଯୋଜନା ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଗୃହମନ୍ତ୍ରୀ ହେଲ୍ପଲାଇନ 'ଡାଏଲ୍ 112' ମଧ୍ୟ ଆରମ୍ଭ କରିଥିଲେ । ଏହି ହେଲ୍ପଲାଇନ ନମ୍ବରକୁ କଲ କଲେ ଆମ୍ବୁଲାନ୍ସ, ପୋଲିସ ଏବଂ ଅଗ୍ନିଶମ ସେବା ତୁରନ୍ତ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ।