ସିମଲା: ହିମାଚଳପ୍ରଦେଶର ରୋହତାଙ୍ଗରେ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସୁଡଙ୍ଗ ଯୋଗୁଁ ମନାଲୀରୁ ଲେହର ଦୂରତା 46 କିଲୋମିଟର କମ ହୋଇଯିବ । ଫଳରେ ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ 4ରୁ 5 ଘଣ୍ଟା କମ ସମୟ ଲାଗିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାହୋଜ ସ୍ପିତିରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ଅଟଳ ଟନେଲର ଉଦଘାଟନ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରୋହତାଙ୍ଗରେ ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଶନିବାର ଦିନ 10ଟାରେ ଏହି ଟନେଲ ଉଦଘାଟନ କରିବେ ମୋଦି ।
ଦୁନିଆର ସବୁଠୁ ବଡ ରାଜପଥ ଟନେଲ
ଅଟଳ ଟନେଲ ହେଉଛି ବିଶ୍ବର ସର୍ବବୃହତ ରାଜପଥ ଟନେଲ। 9.02 କିଲୋମିଟର ଲମ୍ବା ଟନେଲ ମନାଲୀକୁ ଲାହୋଜ ସ୍ପିତି ଉପତ୍ୟକା ସହିତ ସଂଯୁକ୍ତ ରଖିବ। ହିମାଳୟର ପିର ପଞ୍ଜଲ ପର୍ବତ ମାଳା ଉପରେ ନିର୍ମିତ ଏହି ଟନେଲ ସମୁଦ୍ର ପତ୍ତନଠାରୁ 10 ହଜାର ଫୁଟ ଉଚ୍ଚରେ ଅବସ୍ଥିତ | ପ୍ରଧାନମନ୍ତ୍ରୀ ମୋଦି ଏହି ଟନେଲକୁ ସମ୍ପୂର୍ଣ୍ଣ ପରିଦର୍ଶନ କରିବେ ।