ମସ୍କୋ: ବୁଧବାର ଭ୍ଲାଡିଭୋଷ୍ଟକ ଠାରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ 15ଟି ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ଭାରତର ପାରମ୍ପରିକ ମିତ୍ର ରାଷ୍ଟ୍ର ଋଷ, ପ୍ରଧାନମନ୍ତ୍ରୀ ମୋଦି ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବ ବୋଲି ଘୋଷଣା କରିଛି। ଏହି ନିଷ୍ପତ୍ତି ପାଇଁ ଋଷ ରାଷ୍ଟ୍ରପତି ଏବଂ ଋଷୀୟ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ଏହା ଉଭୟ ଦେଶର ବନ୍ଧୁତ୍ବର ପ୍ରତୀକ ବୋଲି ଏବଂ ଏହା ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଜଣାଇଛନ୍ତି ସେ।
ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବ ଋଷ - ଭ୍ଲାଦମିର ପୁଟିନ
ବୁଧବାର ଭ୍ଲାଡିଭୋଷ୍ଟକ ଠାରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବ ବୋଲି ଘୋଷଣା କରିଛି ଋଷ।

ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଭଭୟ ରାଷ୍ଟ୍ରକୁ ନେଇ ଆୟୋଜିତ ହୋଇଥିବା ପଞ୍ଚମ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଆମନ୍ତ୍ରିତ କରିଥିବାରୁ ଋଷ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଉଛି। ଭାରତ-ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏହା ଏକ ଐତିହାସିକ ସମୟ। ଏହା ଉଭୟ ଦେଶରେ ବନ୍ଧୁତ୍ବର ନୂଆ ଏକ କାହାଣୀ ଲେଖିବ । ସେପଟେ ଋଷ ରାଷ୍ଟ୍ରପତି ପୁଟିନ ମଧ୍ୟ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଆମେ ଅନେକ ସମୟରେ ପରସ୍ପରକୁ ସାକ୍ଷାତ କରିଛୁ । ଅନେକ ପ୍ରସଙ୍ଗରେ ପରସ୍ପର, ପରସ୍ପର ସହ ଆଲୋଚନା କରିଛୁ। ଦୁଇ ଦେଶର ଅନ୍ୟ ପ୍ରସଙ୍ଗ ରେ ମଧ୍ୟ ଉଭୟକୁ ସହଯୋଗ କରି ଆଗକୁ ବଢିବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି ସେ।
କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ କୌଣସି ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପକୁ ଉଭୟ ଭାରତ ଓ ଋଷିଆ ବିରୋଧ କରି ଆସିଛନ୍ତି । ଏହା ସହ ସାମ୍ପ୍ରତିକ ପରିସ୍ଥିତିରେ ଏକ ବହୁମୁଖୀ ବିଶ୍ବ ସମୁଦାୟର ଆବଶ୍ୟକତା ରହିଥିବା ଉଭୟେ ହୃଦବୋଧ କରିଛନ୍ତି। ଉଭୟ ରାଷ୍ଟ୍ର ଏବେ ବ୍ରିକସ୍ ଏବଂ ଏସ୍ସିଓ ପରି ବହୁ ବିଶ୍ବସ୍ତରୀୟ ମଞ୍ଚରେ ଏକାଠି କାର୍ଯ୍ୟ କରୁଛନ୍ତି । ଭାରତ ଓ ଋଷିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବନ୍ଧୁତ୍ବ ଓ ଭାଗିଦାରିତା ଦୃଢ଼ ଓ ସଶକ୍ତ ରହିଥିବା ବେଳେ ଏଥିରେ ଆହୁରି ଅନେକ ନୂଆ ନୂଆ କ୍ଷେତ୍ରକୁ ଯୋଡ଼ାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।