ନୂଆଦିଲ୍ଲୀ: ଆସନ୍ତାକାଲି ଦୁନିଆ ଦେଖିବ ବିଶ୍ବର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ରର ନୂତନ ସରକାରଙ୍କୁ । କାଲି ଗୁରୁବାର ସଂଧ୍ୟା 7ଟାରେ ନରେନ୍ଦ୍ର ମୋଦି ଓ ତାଙ୍କ ଟିମ ଶପଥ ନେବେ । ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟଥର ପାଇଁ ମୋଦି କାଲି ସ୍ବର୍ଣ୍ଣିମ ଇତିହାସରେ ସ୍ବାକ୍ଷର କରିବେ । ଏହାସହ କେଉଁମାନେ ମୋଦିଙ୍କ ଟିମରେ ସ୍ଥାନ ପାଇବେ, ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦଳୀୟ ମହଲରେ ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।
ମୋଦି ଓ ତାଙ୍କ ଟିମ ନେବେ ଶପଥ, ଶେଷ ପର୍ଯ୍ୟାୟରେ ଭବ୍ୟ ପ୍ରସ୍ତୁତି - OATH TAKE CHARGE
ଭାରତ ରାଜନୈତିକ ଇତିହାସରେ ଦ୍ବିତୀୟ ଥର ପାଇଁ ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିଛି । ମୋଦି ଓ ତାଙ୍କ ଟିମ ଶପଥ ପାଠ ପାଇଁ ରାଷ୍ଟ୍ରପତି ଭବନରେ ଚାଲିଛି ପ୍ରସ୍ତୁତି ।
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ଦଳ ସବୁ ପଦକ୍ଷେପ ନେଉଛି । ଭାରତର ପଡୋଶୀ ରାଷ୍ଟ୍ରମୁଖ୍ୟଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେବା ସହ ବିଶ୍ବର ବହୁ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଖାଲି ଏତିକି ନୁହେଁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରାୟ 6ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟ, ରାଷ୍ଟ୍ରପତି ଭବନ ଓ ବିଜେପି ମିଳିତ ଭାବେ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି କରୁଛନ୍ତି ।
ଗତଥର ଭଳି ଏଥର ମଧ୍ୟ ରାଷ୍ଟ୍ରପତି ଭବନର ମୁଖ୍ୟ ପ୍ରବେଶ ପଥର ବାମ ପାର୍ଶ୍ବରେ ଶପଥ ଗ୍ରହଣ ପାଇଁ ମଞ୍ଚ କରାଯାଉଛି । ମଞ୍ଚ ସମ୍ମୁଖରେ ପ୍ରାୟ 6ହଜାର ଅତିଥି ବସିବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ , ପ୍ରଥମ ଧାଡିରେ ବିଦେଶୀ ଅତିଥିଙ୍କ ସମେତ ଦେଶର ବିଶିଷ୍ଟ ଅତିଥିଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଗତଥର ଶପଥ ଗ୍ରହଣ ଉତ୍ସବ ସଂଧ୍ୟା 6ଟାବେଳେ କରାଯାଇଥିଲା କିନ୍ତୁ ଏଥର ଅସହ୍ୟ ଗରମକୁ ଦେଖି ଏହା 7ଟାକୁ ଘୁଞ୍ଚାଇ ଦିଆଯାଇଛି ।